Unknown

 

 

 

 

 

 

 

 

 

ଭୀଷ୍ମ-ଶରଶଯ୍ୟା

ଗଣକବି ବୈଷ୍ଣବ ପାଣି

 

(ନଟୀର ଗୀତ ଗାଇ ଗାଇ ପ୍ରବେଶ)

[ଚାଲ ଲୋ ସଜନୀ ନିକୁଞ୍ଜେ – ବୃତ୍ତେ]

 

ଜୟ ଗୋପସୁତମେଳିଆ, ଗୋବର୍ଦ୍ଧନତୋଳିଆ ।ପଦ। ଜୟ ଗୋରଜ-ରଜ-ବୋଳିଆ ଗୋକୁଳାନନ୍ଦ, ଗଗନବରନ ଗୋପିଜନ-ସମ୍ପଦ । କାଳ କାଳୀୟଦଳା, ଖଳଗରବଟଳା, ନୀଳକଞ୍ଜଡୋଳା ନୀପତରୁମୂଳିଆ ।୧। ବଳୀ ବଳହନ୍ତା ହଳାନୁଜ ଅନନ୍ତ, କଳିନ୍ଦତନୟାକୂଳ-ବିନୋଦ ନାଥ । ପୀତ ଦୁକୂଳଧାରୀ, କଳ୍ପବଟବିହାରୀ, ସଖା ସୁଦାମା ଦାରିଦ୍ର୍ୟ-ଦୁଃଖଟାଳିଆ ।୨। ମୋହନ-ମୂରଲୀଫୁଙ୍କା ବହନ ଆସି, ରାଜ ଏ ହୃଦସରୋଜେ ଗୋକୁଳଶଶୀ । ସାଜୁ କବିତା ମୋର, କଣ୍ଠେ କରିଣ ହାର । ଘେନନ୍ତୁ ନରେ ବଇ ତୋ ପଦତଳିଆ ।୩।

 

ନଟ

(ପ୍ରବେଶି)

 

 

ମହିଳା-କୁଳମୁକୁଟ-ହୀରା !

 

 

ଏହି ସୁମଧୁର ସଙ୍ଗୀତ ସୁତାନେ

 

 

ଏକା କିଣିଅଛ ଜଗତଜନଙ୍କ

 

 

ଯେଉଁ ଗଗନପରଶି ସଙ୍ଗୀତ ଲହରୀ

 

 

ଢାଳୁଛ ଏ ରଙ୍କସ୍ଥଳେ ସକଳ ଶ୍ରବଣେ

 

 

ବଶ କେ ନୋହିବ ଏହି ଗୁଣେ ?

 

 

ତେବେ ଏତିକି ବକ୍ତବ୍ୟ ମୋର ତବ ନିକଟରେ

 

 

କି ବିଷୟ ଦେଖାଇବା କହ ଏହିଠାରେ ?

ନଟୀ

ନଟଶିରୋମଣି !

 

 

ମନେ କି ନ ପଡ଼େ କାଲି କଥା

 

 

କହିଥିଲୁଁ ପରା ?

 

 

ଲେଖିଅଛ ନବୀନ ଛଟାରେ

 

 

ଯେଉଁ ଭୀଷ୍ମ-ଶରଶଯ୍ୟା ଗୀତିନାଟ୍ୟଖଣ୍ତି

 

 

ବହୁ ପରିଶ୍ରମେ ବହୁ ଦିବସର ପୂର୍ବେ,

 

 

ତାହା ଦେଖାଇବ ସ୍ଥଳବିଶେଷରେ ।

ନଟ

ପ୍ରିୟେ ! ଯାହା କହିଲ ପ୍ରକୃତ ସେ କଥା

 

 

ସ୍ଥଳବିଶେଷରେ ରହେ ନାଟକର ଟେକ ।

ନଟୀ

ଚାଲ ନାଥ ! ହେଉଅଛି ସମୟ ବିଳମ୍ବ,

 

 

ସଜାଇଣ ଅଭିନେତୃଗଣେ

 

 

ଉଭାହେବା ରଙ୍ଗଭୂମି ପରେ ।

 

 

(ପ୍ରସ୍ଥାନ)

Image

 

ପ୍ରଥମ ଅଙ୍କ

[ପ୍ରଥମ ଦୃଶ୍ୟ]

(ହସ୍ତିନା ରାଜସଭା – ଭୀଷ୍ମ ଦ୍ରୋଣ ଶକୁନି କର୍ଣ୍ଣ କୃତବର୍ମ୍ମାଦି ସହ

ଦୁର୍ଯ୍ୟୋଧନର ପ୍ରବେଶ, ସିଂହାସନେ ଉପବେଶନ)

 

ଦୁର୍ଯ୍ୟୋଧନ

ଭୋ ଭୋ ରାଜନ୍ୟବର୍ଗ ! ସଭାସ୍ଥ ସମସ୍ତ ବନ୍ଧୁଗଣ !

 

 

ଭୀଷ୍ମ ଦ୍ରୋଣ ଶଲ୍ୟ କର୍ଣ୍ଣ କୃପ ଅଶ୍ୱତ୍‌ଥାମା !

 

 

ଆଶ୍ରୟ କରିଣ ତୁମ୍ଭମାନଙ୍କ ବାହୁକୁ

 

 

କଲି ପାଣ୍ତବଙ୍କ ତୁଲେ ରଣ-ଆୟୋଜନ ।

 

 

ମହାବଳୀ ରଣରଙ୍କ ମାନବ-ଶାର୍ଦ୍ଦୂଳ ଭୀମସେନ

 

 

ଯା ଗଦାପବନେ ଉଡ଼ିବ ଗଗନେ ହିମକୂଟ ବିନ୍ଧ୍ୟାଚଳ

 

 

ଯେ ଅର୍ଜ୍ଜୁନର ଗାଣ୍ତୀବ-ଟଙ୍କାରେ

 

 

ଭୀତ ହୋନ୍ତି ବ୍ରହ୍ମା ରୁଦ୍ର ସହସ୍ରଲୋଚନ;

 

 

ତାହାଙ୍କୁ ଜିଣିଣ

 

 

ଅକଣ୍ଟକ ରାଜ୍ୟ ଭୋଗ କରିଲି କାମନା

 

 

ମାତ୍ର, ତୁମ୍ଭମାନଙ୍କ ମୁଖକୁ ଅନାଇ ।

 

 

ଅଛି ଏହି ଶାଣିତ ଖଡ଼ଗ

 

 

ଯେ ଜିଣିବ କୃଷ୍ଣାର୍ଜ୍ଜୁନେ, ତୋଳିଦିଅ ବେଗ

 

 

ତଳହସ୍ତେ ଘେନିବି ମୁଁ ବାନ

 

 

ସେନାପତିପଣେ ଶାଢ଼ି ବାନ୍ଧିବି ତା ଶିରେ ।

କୃତବର୍ମ୍ମା

କୁରୁବୀର ! ବୃଥା ଆଶା କର କାହିଁପାଇଁ ? ଶୁଣ ଯାହା କହୁଅଛି ମୁହିଁ

 

(ଗୀତ)

[ମନ୍ତ୍ରୀ ଏକ ଦୁର୍ଘଟନା ଘଟିଲା – ବୃତ୍ତେ]

 

କୁରୁପତି ଶୁଣ ଏ ମୋ ଭାରତୀ । କି ଆଶେ ସାଗରେ ବାନ୍ଧ ବାଲିବନ୍ଧ ସେ କାହିଁ ପାରିବ ବରତି ।ପଦ। କାହା କଥାରେ ପଡ଼ି ହୁଡ଼ିଣ ପଥ କରିଲ ଏଡ଼େ ପଣ । ରାହା ପାଇବ ନାହିଁ ଶେଷକୁ ସବୁ ହେବଟି ଅକାରଣ । ପ୍ରାଣ ଦେବେ ବୋଲି କୁରୁକ୍ଷେତ୍ରରଣେ । ଦୂରୁ ଆସିଛନ୍ତି ଏହି ରାଜାଗଣେ । ଦେଖିଯିବେ ଏ ତରି ହେ ଦଣ୍ତଧାରୀ ପାର୍ଥରଥେ କୃଷ୍ଣ ସାରଥି ।୧। ଯେବେ ବହୁ ଶୃଗାଳ ହୋଇବେ ମେଳ ଜିଣିବେ କି ସିଂହକୁ । ହେଲେ କୋଟିଏ ଅହି ଯିବେ କି କେହି ଗରୁଡ଼ର ଆଗକୁ। ନନ୍ଦିଘୋଷେ ଥିବେ ଯେଣୁ ପୀତବାସ । ତେଣୁ ବନ୍ଦିବୁଁ ସେ ରଙ୍ଗ ପଦଦେଶ । ଲକ୍ଷେବଳ ଗାଣ୍ତୀବ ଗାଣ୍ତୀବୀ କରେ, ରାଜୁଥିବ ଧ୍ୱଜେ ମାରୁତି ।୨। ଯେବେ ଆମ୍ଭଙ୍କୁ ଆଣି ରାଜ୍ୟଲାଳସା କରିଛ ମନେ ମନେ । ତେବେ ଯାଅ ଏକ୍ଷଣ କୌରବରାଣ ପଶ ବିଜନ ବନେ । କେ ବା କୃଷ୍ଣାର୍ଜ୍ଜୁନେ ହେବ ସମକକ୍ଷ । କହୁ ସକଳେ ଏ ସ୍ଥଳେ ରଖି ସାକ୍ଷ୍ୟ । ବଇଷ୍ଣବ ଗୁହାରି ସହଦେବକୁ ଜିଣିବ କେ ଅଛି ଧରତୀ ।୩।

 

ସମସ୍ତେ

ସାଧୁ ! ସାଧୁ ! ସାଧୁ ! ପ୍ରକୃତ କଥା କହିଲେ କୃତବର୍ମ୍ମା ।

ଭୀଷ୍ମ

(ସଦର୍ପେ ଆସ୍ଥାନୁ ଉଠି)

 

 

ଶୁଣ ଦୁର୍ଯ୍ୟୋଧନ ! ତୋଳିଦେଲି ଏ ଖଡ଼ଗ

 

 

ଆଉ କିସ ବାଞ୍ଚ୍ଥା ତୋର, ମାଗ ?

ଦୁର୍ଯ୍ୟୋଧନ

ମାଗୁଛି ଏତିକି, କୃଷ୍ଣାର୍ଜ୍ଜୁନ ସହ ପଞ୍ଚପାଣ୍ତବଙ୍କୁ ଜିଣି ମୋତେ ପଞ୍ଚରାଜ୍ୟ ଅକଣ୍ଟକ ଦିଅ ମହାଭାଗ ।

ଭୀଷ୍ମ

ବତ୍ସ ଦୁର୍ଯ୍ୟୋଧନ ! ଶୁଣ ତେବେ ବଚନ ମୋହର

 

 

ଜାଣିଅଛ ପଣ କେବେ ନ ଟଳେ ଭୀଷ୍ମର ।

 

(ଗୀତ)

[ଗତରାତ୍ର ସମାଚାର – ବୃତ୍ତେ]

 

ତେଜ ତେଜ ଚିନ୍ତା ଚିତ୍ତୁ କୁରୁକୁଳସାଇଁ ରେ । ଭୁଞ୍ଜ ଭୁଞ୍ଜ କୁଞ୍ଜଗଳ ଅଇଶ୍ୱର୍ଯ୍ୟ ତୁହି ରେ ।ପଦ। ଗଞ୍ଜିବି କୃଷ୍ଣ-ଅର୍ଜ୍ଜୁନ, ଗରବ ତୁ ମନେ ଘେନ । ସଞ୍ଜୀବନୀପୁରେ ଯିବ ନିଶ୍ଚୟ ବିଜୟି ରେ । ନିତି ଦଶସସ୍ର ଯୋଦ୍ଧା, ମାରିଣ କରିବି ପଦା । ଖଞ୍ଜିଣ ସାୟକେ ଶିରପୁଞ୍ଜ ଥିବେ ଚାହିଁ ରେ ।୨। ରଞ୍ଜିତ ଅରାତି ରକ୍ତେ, ଦେଖିବୁ ଅସିତ ନେତ୍ରେ । ସିଞ୍ଜୀନି ଟଙ୍କାରେ ଶବ୍ଦେ କମ୍ପିବ ଏ ମହୀ ରେ ।୩। ସାଜ ସାଜ ଗଜରଥ, ଆଜ ରଣେ କୁରୁନାଥ ! ମାଜ ମାଜ ଅସ୍ତ୍ର ରସେ ଭାଷେ ବଇ ରେ ।୪।

 

ଦୁର୍ଯ୍ୟୋଧନ

ପିତାମହ ! ଶୁଣି ତବ ଅଟଳ ପ୍ରତିଜ୍ଞା

 

 

ଆନନ୍ଦେ ଅନ୍ତର ମୋର ଉଠଇ ଉଲ୍ଲସି ।

 

 

ପିତଃ ! ବାନ୍ଧିଲି ମୁକୁଟ ଦେଖ ସେନାପତିପଣେ

 

 

ରକ୍ଷା କର ମୋର ମାନ ଭାରତ-ସମରେ ।

ଅଶ୍ୱତ୍‌ଥାମା

ହେ ମାନଗୋବିନ୍ଦ !

 

 

ହୋଇ ଏଡ଼େ ଜ୍ଞାନବାନ୍‌

 

 

କଲ କେହ୍ନେ ଅଜ୍ଞାନୀର କାର୍ଯ୍ୟ ?

 

 

ଭୀଷ୍ମ ଆଣ୍ଠୁକୁଡ଼ା, ତାର ନାହିଁ ସ୍ତିରୀ ପୁତ୍ର

 

 

ରଣେ ମରିବାକୁ କିପାଁ ସେ ହେବ କୁଣ୍ଠିତ ?

 

 

ମୁକ୍ତି ଆଶେ ନିଶ୍ଚେଁ ସେହି ଝାସିବ ରଣରେ ।

 

 

ଅଛି ଶାସ୍ତ୍ରେ ଯାତ୍ରାକାଳେ ଅପୁତ୍ରକ ମୁଖ

 

 

ନିରେଖନ୍ତେ ନିଶ୍ଚେଁ କାର୍ଯ୍ୟ ହୁଅଇ ବିନଷ୍ଟ ।

 

 

ଏପରି ଲୋକର ଶିରେ ମୁକୁଟକୁ ବାନ୍ଧି

 

 

ନଷ୍ଟ କଲୁ ଶୁଭ ଅନୁକୂଳ;

 

 

ଅଧିକ କି କହିବଇଁ ତୋତେ ।

ଦୁର୍ଯ୍ୟୋଧନ

ଅଶ୍ୱତ୍‌ଥାମା !

 

 

ଦ୍ୱିଜ ହୋଇ ଚଣ୍ତାଳ ପରାୟେ କିପାଁ କହୁ ଏ ବଚନ ?

 

 

ଯେ ଅଟନ୍ତି ଶାନ୍ତନୁଙ୍କ ସୁତ

 

 

ମାତା ଯାହାଙ୍କର ପତିତପାବନୀ ସୁରେଶ୍ୱରୀ

 

 

ମୃତ୍ୟୁ ଅଟେ ଅଧୀନ ଯାହାଙ୍କ

 

 

ଚଉଦ ବ୍ରହ୍ମାଣ୍ତେ ବ୍ୟାପ୍ତ ଯାହାଙ୍କ ପୌରୁଷ

 

 

ଯାହାଙ୍କ କାର୍ମୁକ ଟଙ୍କାର ନାଦେ ଭୀତି ଭଜେ ଯମ

 

 

ପର୍ଶୁରାମେ ଜିଣିବାକୁ ଯାହାଙ୍କୁ ଯାହାଙ୍କ କ୍ଷମତା;

 

 

ତାହାଙ୍କୁ ନିନ୍ଦା କରୁ ତୁ କି ବିବେକବଳେ ?

ଦ୍ରୋଣ

ତୁନି ହୁଅ ଅଶ୍ୱତ୍‌ଥାମା !

 

 

ଭାଷ୍ମଙ୍କୁ ଚିହ୍ନିବୁ କାହେଁ ତୋ ହୃଦେ ସେ ଜ୍ଞାନ ?

 

 

ଯେତେବେଳୁଁ ହୋଇଲେଣି ସେନାପତି ସେହୁ,

 

 

ନିଷ୍କଣ୍ଟକ ରାଜ୍ୟ ପାଇଲେଣି କୁରୁନାଥ ।

 

 

ବୃଥା ତର୍କ ନ କର ଏଠାରେ ।

ଭୂରିଶ୍ରମ

ହେ ଆଚାର୍ଯ୍ୟ ! ନ ଜାଣେ ମୁଁ ଟେକାଟେକି କଥା ।

 

 

ପ୍ରକୃତରେ କୃଷ୍ଣ-ଅର୍ଜ୍ଜୁନଙ୍କୁ

 

 

ଜିଣିବ, ଅଛି ଜଗତେ କାହାର କ୍ଷମତା ?

 

 

ଦେଖିଥିଲ ନୃସିଂହ ମୂରତି ପରା କୁରୁସଭାଠାରେ ?

 

 

ସେତେବେଳେ କେ କାହିଁ ପଶିଲ ଯାଇ କରି,

 

 

ଏହି ଭୀଷ୍ମ ନ ଥିଲେ କି ତହିଁ ?

 

 

ଆହୁରି ଅର୍ଜ୍ଜୁନ କଥା ଶୁଣ କହେ ଯାହା

 

(ଗୀତ)

[କି ନାମ ବୋଇଲୁ – ବୃତ୍ତେ]

 

ପଣ୍ତ କଥାଟାରେ ରୁଣ୍ତ ହୋଇ କିମ୍ପା କର ଏତେ ଗଣ୍ତଗୋଳ । ନ ଭଣ୍ତ ଆମ୍ଭଙ୍କୁ ପିଲାଙ୍କ ପରାୟେ ଜଣାଅଛି ସବୁ ବଳ ।୧। ଯେ କାଳେ ପାଣ୍ତବାସୁର ଗିଳିଥିଲା କୌରବ ଶଏ ଭାଇଙ୍କି । କୋଦଣ୍ତ ଧରିଣ ରଖି ନ ପାରିଲ କେ କୁରୁକୁଳସାଇଁକି ।୨। ଅସୁର ଉଦରେ ଥାଇ ଦୁର୍ଯ୍ୟୋଧନ ଚାଣ୍ତେ ଦେଲା ପରା ଡାକ – ତୃତୀୟ ପାଣ୍ତବ ଅର୍ଜ୍ଜୁନ, ବହନ ମୋତେ ଏ ବିପଦୁଁ ରଖ ।୩। ସେହି ରାଣ୍ତପୁଅ ଦାଣ୍ତର ଭିକାରି ଗାଣ୍ତୀବରେ ସନ୍ଧି କାଣ୍ତ । ବୋଇଲା ଯେ ଡାକେ ରଖ ତାକୁ ଚଣ୍ତପଣେ ଛେଦି ଶତ୍ରୁମୁଣ୍ତ ।୪। ମନଭେଦୀ ବାଣ ଖଣ୍ତ ଖଣ୍ତ କଲା ପାଣ୍ତବା ପିଣ୍ତକୁ ବଳେ । ଦ୍ୱିଫାଳ ହୁଅନ୍ତେ ଗର୍ଭୁ ବାହାରିଲେ ଏହି କଉରବଦଳେ ।୫। କୁଣ୍ତଳୀ ପର୍ବତେ ସେହି ପାର୍ଥ ପରା ଭାନୁମତୀକି ରଖିଲା । ପଞ୍ଚକେତୁ ଦୈତ୍ୟେ ବଧିଣ ପୀୟୂଷ ଶରେ ପ୍ରାଣଦାନ ଦେଲା ।୬। ଘୋଷଯାତ୍ରା ଆଉ ଗୋଧନହରଣ କଥା କି ଗଲ ପାଶୋରି । ଏହି ଭୀଷ୍ମ ଦ୍ରୋଣ ନ ଥିଲେ କି ସେହି କାଳେ ବଇର ଗୁହାରି ।୭।

 

 

ହେ କୌରବପତି !

 

 

ସୁଭଦ୍ରା ହରଣ କାଳ ଅପମାନ କଥା

 

 

ଆଜି ଗଲାଣି କି ଚାଲି ?

 

 

କେଉଁ ସାହସେ କହୁଛ କୃଷ୍ଣାର୍ଜ୍ଜୁନେ ଜିଣିବ ସମରେ ?

 

 

ସେ ଅର୍ଜ୍ଜୁନ ନ ରଖିଛି କେତେ କେତେ ବିପଦରୁ;

 

 

ସର୍ବଦା ଭାବୁଛ ତାର ମରଣ ଉପାୟ ?

 

 

ପାଣ୍ତବେ ନୁହନ୍ତି ମୋର ଶତ୍ରୁ

 

 

ପାଞ୍ଚିଛି ମୁଁ, ମିଳାଇଣ ଦେବି ତବ ତୁଲେ;

 

 

ଏହା ହେଲେ ନିଶ୍ଚେଁ ସବୁ ହୋଇବ ଉତ୍ତମ ।

ଦୁର୍ଯ୍ୟୋଧନ

ହେ କୌରବପକ୍ଷୀୟ ବୀରଗଣେ !

 

 

ଶୁଣିଛ ତ ପଣ ମୋର ସର୍ବେ ?

 

 

କ୍ଷତ୍ରିୟ ହୋଇଣ ଯେବେ ମରଣକୁ ଡର

 

 

ନ ରହ ମୋ ପକ୍ଷେ, ପଶ ପାଣ୍ତବେ ଶରଣ

 

 

ଯା’ର ହୁଏ ଇଚ୍ଛା ଏହି କ୍ଷଣି ।

 

 

ଭାଇ-ଭାଗ ନ ଦେବି ପାଣ୍ତବେ

 

 

ପ୍ରତିଜ୍ଞା ମୋ ନୋହିବ ବିଫଳ

 

 

ରଣ କରିବାକୁ ସତ୍ୟ କରିଅଛି ମୁହିଁ;

 

 

ପ୍ରାଣ ଗଲେ ନ ଛାଡ଼ିବି ତାହା ।

 

 

ଆହେ ଭୀଷ୍ମ, ଆହେ ଦ୍ରୋଣ କର୍ଣ୍ଣ ଭୁରିଶ୍ରବା

 

 

ଅଶ୍ୱତ୍‌ଥାମା ଶଲ୍ୟ କୃପାଚାର୍ଯ୍ୟ ଜୟଦ୍ରଥ !

 

 

ଲକ୍ଷ୍ମଣକୁମର ତୁଲେ ଯେତେ ଅଛ ଏଥି

 

 

ନିଅ ଯାଇ ପାଣ୍ତବେ ଶରଣ;

 

 

ଏକାକୀ ମୁଁ କରିବଇଁ ରଣ ।

ଭୀଷ୍ମ

ହେ ମାନଗୋବିନ୍ଦ !

 

 

କିପାଁ ବୃଥା କର ଅଭିମାନ

 

 

କି ମିଳିବ ତୋତେ ସେ କଥାରୁ ?

 

 

ଉତ୍ସାହ-ବାକ୍ୟ ଯେ କହେ ବିପଦର କାଳେ

 

 

ସେହି ଏକା ବନ୍ଧୁରେ ଗଣନା ।

 

 

ମୋ ବଚନ ମାନି ଚିନ୍ତା ଛାଡ଼ ଦୁର୍ଯ୍ୟୋଧନ ।

 

(ଗୀତ)

[ଦେବେ ତୁମ୍ଭରି କଥା ଗଲା – ବୃତ୍ତେ]

 

କଉରବନାଥ ମନେ ଡର ନା । ପର କଥାକୁ କାନେ ଶୁଣି ମର ନା ।ପଦ। ଏକାକୀ ମୁଁ ଦଶଦିନ କରିବି ସମର । ସାକ୍ଷ୍ୟ ରଖି କହୁଅଛି ସମସ୍ତ ଅମର । କର କରଜରେ ଧରା ଚିର ନା ।୧। ଦଶସସ୍ର ଯୋଦ୍ଧା ବିନାଶିବି ନିତି ନିତି । ଶତ୍ରୁ ରକ୍ତପାନେ ତୃପ୍ତ ହେବ ଏ ଧରିତ୍ରୀ । ଅଭିମାନେ ନିଜର ମାନ ସାର ନା ।୨। ଯେଉଁ ଦିନ ନ ମାରିବି ସେନା ସସ୍ରଦଶ । ସେହି ଦିନ ନ କରିବି ଅନ୍ନ ଜଳ ଗ୍ରାସ । ଆଣି ପୀୟୂଷ ଭାଣ୍ଡେ ବିଷ ଭର ନା ।୩। ନ ଧରିବି ଅଶି ଲକ୍ଷ ବଳ ଧନୁ ହସ୍ତେ । ଏ ପଣ କରିଲି ସଭାଜନଙ୍କ ଅଗ୍ରତେ । ବଇ ବୋଲେ ନିରାଶା- ଜରେ ଥର ନା ।୪।

 

 

 

କୁରୁମଣି ! ବାଣ୍ଟିଦିଅ ସେନାଗଣେ ଜଣେ ଜଣେ କରି

 

 

ଚାରିଲକ୍ଷ ଅଶ୍ୱାରୋହୀ କ୍ଷଉଣୀଏ ବଳ

 

 

ଘେନି କର୍ଣ୍ଣ ଚାଲ ମୋର ତୁଲେ ।

 

 

ନବଲକ୍ଷ ରଥୀ ପାଞ୍ଚଲକ୍ଷ ରଥାରୋହୀ

 

 

ବେନି ଲକ୍ଷ ବାଦ୍ୟକାର ଘେନିଯାନ୍ତୁ ଶଲ୍ୟ ।

 

 

ଆବର କୃତବର୍ମାକୁ ଦିଅ ବେଗକରି

 

 

ଅର୍ବୁଦେ ରଥ ଅର୍ବୁଦେ ମତ୍ତକରିବର

 

 

ବେନି କ୍ଷଉଣୀ ପଦାତି ସାଗରେକ ଅଶ୍ୱ

 

 

ଏହାଙ୍କୁ ଘେନି ସେ ମୋତେ କରନ୍ତୁ ସାହାଯ୍ୟ ।

 

 

ଏହିପରି ବାଣ୍ଟିଦିଅ ସବୁ ରଥଗଣେ;

 

 

ନିଜେ ଚାଲ ସଜ ହୋଇ ରଣେ ।

ସମସ୍ତେ

ଜୟ କୁରୁପତି ମହାରାଜ ଦୁର୍ଯ୍ୟୋଧନଙ୍କର ଜୟ ।

ଦୁର୍ଯ୍ୟୋଧନ

ଚାଲ ରାଜାଗଣେ ରଣେ ସାଜି

 

 

ଗଙ୍ଗାଜଳ ଛୁଇଁ ଆଗେ କରିଅଛି ସତ୍ୟ

 

 

ମୋତେ ଅକଣ୍ଟକ ରାଜ୍ୟ ଦେବ ନୃପସୁତ !

Image

 

[ଦ୍ୱିତୀୟ ଦୃଶ୍ୟ]

(ଜଇନ୍ତା ରାଜସଭା । କୃଷ୍ଣ ଅର୍ଜ୍ଜୁନ ଯୁଧିଷ୍ଠିର ଭୀମାଦି ଦଣ୍ଡାୟମାନ)

 

କୃଷ୍ଣ

ଧର୍ମରାଜ !

 

 

ଆସିଣ ନକୁଳ ଆଜି କହିଲା ମୋ ଆଗେ

 

 

କୌରବ ଥାଟରେ ଭୀଷ୍ମ ହେଲେ ସେନାପତି ।

 

 

ଅମର ବର ପାଇବା ହେତୁ ଅଶ୍ୱତ୍‌ଥାମା

 

 

ତେଣୁ ତା ଶିରେ ମୁକୁଟ ନ ବାନ୍ଧିଲା ରାଜ;

 

 

ବୋଇଲା ମରଣ ଭୟେ ମାଗିଛି ଏ ବର ।

 

 

ହୋଇଥିଲେ ଅଶ୍ୱତ୍‌ଥାମା ରଣେ ସେନାପତି

 

 

ପାଣ୍ଡବଙ୍କ ଜୟ ଆଶା ନୁହନ୍ତା ସଫଳ ।

 

 

ନିଶ୍ଚୟ ପଞ୍ଚକଟକ ହୋଇବ ତୁମ୍ଭର

 

 

ଶୀଘ୍ର କର ରଣ ଆୟୋଜନ ।

ଯୁଧିଷ୍ଠିର

ଜନାର୍ଦ୍ଦନ ! କେହୁ ଆମ୍ଭ ପକ୍ଷେ ଭୀଷ୍ମ ସମକକ୍ଷ ଯୋଦ୍ଧା ?

 

 

କୁହ କେ ହୋଇବ ଆମ୍ଭ ଥାଟେ ସେନାପତି

 

 

କୃଷ୍ଣପକ୍ଷ ଗୁରୁବାର ରୋହିଣୀ ନକ୍ଷେତ୍ର

 

 

ଏହିବେଳେ କର ଅନୁକୂଳ ।

କୃଷ୍ଣ

ଶୁଣ ଧର୍ମରାଜ !

 

 

ଅର୍ଜ୍ଜୁନ ଅଟଇ ଭୀଷ୍ମ ସମକଚ୍ଛ ଯୋଦ୍ଧା;

 

 

ସେହି ଆମ୍ଭ ପକ୍ଷେ ସେନାପତି

 

 

ହେଉ ରଣେ ନ ଘଟିବ ପାଣ୍ଡବେ ବିପତ୍ତି ।

ଗୀତ

[ଚନ୍ଦ୍ରବଦନା ରେ - ବୃତ୍ତେ]

ଇନ୍ଦ୍ରନନ୍ଦନ ରେ ! ବଂଶମାନ ରକ୍ଷାକର । ହ୍ରାସ ନୋହୁ ଯଶ ସେନାପତି ବେଶ ସାଜିଦେବି ବୀରବର-।ପଦ। ବାସବଦତ୍ତ ଶିରିପାରେ କିରୀଟୀ ତୋଷେ ମଣ୍ଡ ଶିରପର । ମକର କୁଣ୍ଡଳ ସୁର ଜୟମାଳ ଦିଶୁ ଗଳେ ଶୋଭାକର ।୧। ଶିବଦତ୍ତ ପାଶୁପତ ଯେ ଅକ୍ଷୟ ତୂଣ ପକାଅ କନ୍ଧର । ମନଭେଦୀ ଶର ଯା’କୁ ସ୍ନେହେ ଦାନ କରିଥିଲେ ବୈଶ୍ୱାନର ।୨। ଅମୋଘ ଶକତି ବ୍ରହ୍ମ ବଜ୍ର ଶୂଳ ସୂର୍ଯ୍ୟାବର୍ତ୍ତ ପାର୍ଥ ତୋର । ବାରୁଣା ବୈଷ୍ଣବା ଚକ୍ର ସୁଦର୍ଶନେ ମଣ୍ଡାଉଛି ରହୁବର ।୩। ବସ ନନ୍ଦିଘୋଷେ ହୃଦୟ ଉଲ୍ଲାସେ ବନ୍ଦିଶ ଧର୍ମ ପୟର । ବଇଷ୍ଣବ ଭାଷି ଧ୍ୱଜେ ହନୁ ଆସି ରହିଥିବ ନିରନ୍ତର ।୪।

 

ଅର୍ଜ୍ଜୁନ

ଯାଦବେନ୍ଦ୍ର ! କେ ମେଣ୍ଟିବ କହ ଆଜ୍ଞା ତୋର

 

 

ତେବେ ଏହା ଜଗନ୍ନାଥ ! ଜଗତକୁ ଦିଶିଲା ସୁନ୍ଦର !

 

 

ହେଲି ସେନାପତି, ତିଳେ ନାହିଁ ମୋ ଆପତ୍ତି

 

 

ଶିଖଣ୍ଡୀ ଧୃଷ୍ଟଦ୍ୟୁମ୍ନକୁ ଶଙ୍ଖ ଶ୍ୱେତ ଉତ୍ତରର ତୁଲେ

 

 

ସଜାଇଣ ରଣବେଶେ କର ଅନୁକୂଳ;

 

 

ତାଙ୍କ ସଙ୍ଗେ ଚାଲୁ ମୋ କୁମର ଅଭିମନ୍ୟୁ

 

 

ଦଧିବାମନ ସୁମରି କରନ୍ତୁ ଗମନ ।

ଯୁଧିଷ୍ଠିର

ହେ ଗୋବିନ୍ଦ ! ଯଦି ଦ୍ୱନ୍ଦ୍ୱେ ବଳାଇଲୁ ସାଧ

 

 

ତୋହର ବାହୁକୁ ଆମ୍ଭ ଭରସା ରସାରେ

 

 

ଦୁଷ୍ଟେ ଦଳନ କରି ତୁ ଶିଷ୍ଟେ ରକ୍ଷାକରୁ ।

 

 

ଜାଣୁଛି ଶ୍ରୀହରି, ମୋର କର୍ମ ଅଟେ ମନ୍ଦ

 

 

ତା ନୋହିଲେ ଭାଇବନ୍ଧୁ ଜ୍ଞାତିଗଣେ ଛାଡ଼ନ୍ତେ କି ମୋତେ ?

 

 

ସକଳ କର୍ମର ତୁହି କରତା ହେ ନାଥ !

 

 

ତୋ ବିନୁ ଆନ ଆଶ୍ରୟ ନାହିଁ ପାଣ୍ଡବଙ୍କ ।

 

 

ହେ ପାଣ୍ଡବବତ୍ସଳ !

 

 

ଅପାଣ୍ଡବ ନ ହେଉ ଅବନୀ

 

 

ଏହି ଭୀଷ୍ମ ଯୁଦ୍ଧେ କେଭେଁ ।

ଶ୍ରୀକୃଷ୍ଣ

ଧର୍ମରାଜ ! ମନେ କିଛି ନ କର ଭାବନା,

 

 

ଯଦି କହ ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ

 

 

ଅଶ୍ୱତ୍‍ଥାମା କୃପାଚାର୍ଯ୍ୟ ମହାଧନୁର୍ଦ୍ଧର;

 

 

ପାର୍ଥ ସମ ନ ହେବେ ରଣରଙ୍ଗେ କେହି ।

 

 

ଯେବେ ବଳାଇବେ ସେହୁ ଅର୍ଜ୍ଜୁନର କରୁ

 

 

ସୁଦର୍ଶନେ ଶିର ନିଶ୍ଚେଁ କାଟିବି ତାଙ୍କରି ।

 

 

ଆସ ରଣେ, କରନା ଉଛୁର

 

 

ଦେଖ ଦେଖ ଶୁଭଚିହ୍ନ ହେ ଧର୍ମନନ୍ଦନ !

 

(ଗୀତ)

[କାହିଁକି ରୋଦନ ମାଆ – ବୃତ୍ତେ]

 

ଦଧିବାମନ ସୁମରି ଧର୍ମ କର ଅନୁକୂଳ ହେ । ଉତ୍ତର ଦିଗେ ମାତଙ୍ଗ ଛିଙ୍କେ ଦେଖ କୁନ୍ତୀବାଳ ହେ ।ପଦ। ଶୁଭେ ଶାରୀଦିଏ ରାବ, ବାମେ ଚାହାଁ ପୂର୍ଣ୍ଣକୁମ୍ଭ । ଦଧିଭାଣ୍ଡ ଘେନି ରୁଣ୍ଡ ଦାଣ୍ଡରେ ଗୋପାଳମାଳ ହେ ।୧। ଶଙ୍ଖଚିଲ କରେ ସ୍ୱନ ଶୁଣ ପୁଣ ଘନଘନ । ଚାହଁ ଭଦଭଦଳିଆ ବସିଅଛି ବୃକ୍ଷଚୂଳ ହେ ।୨। ଗଗନୁ ସୁମନ ବୃଷ୍ଟି, ହେଉଅଛି କୋଟି କୋଟି । ରୋହିଣୀ ସଙ୍ଗତେ ଚନ୍ଦ୍ର ଏକାଘରେ ଛନ୍ତି ଠୁଳ ହେ ।୩। ମଙ୍ଗଳଅଷ୍ଟକ ଦ୍ୱିଜେ, ପଢ଼ନ୍ତି କେସନ ତେଜେ । ଘୃତଦୀପେ ଅଗ୍ନିଶିଖା ଜଳେ ଦେଖ କି ମଞ୍ଜୁଳ ହେ ।୪। ଆସିଲେଣି ଅର୍ଘ୍ୟ ଘେନି, ବନ୍ଦାଇବେ ଯାଜ୍ଞସେନୀ । ବଇଷ୍ଣବର ଦଇନି କି ଦୋଷରେ ଟାଳ ଟାଳ ହେ ।୫।

 

ଶ୍ରୀକୃଷ୍ଣ

ଶୁଣ ପାଞ୍ଚାଳନନ୍ଦିନି !

 

 

ସ୍ତ୍ରୀଜାତି ହୋଇ ପାଳିଛୁ ଧନ୍ୟ ଏଡ଼େ ପଣ

 

 

ମୁକୁଳା କରିଛୁ କେଶ ପନ୍ଦର ବରଷ;

 

 

କିନ୍ତୁ ଆଜି ଶୁଭ ଅନୁକୂଳେ

 

 

ଏହା କର ତୁ ବନ୍ଧନ ।

 

 

ଏ ଯେ ଅଟେ ଅଶୁଭର ଚିହ୍ନ

 

 

ବନ୍ଦାଇ ଅର୍ଜ୍ଜୁନେ ଅର୍ଘ୍ୟ ଦିଅ ଯାଜ୍ଞସେନି !

ଦ୍ରୌପଦୀ

ହେ ମୋହନ ! ନ ଜାଣ କି ଦାସୀର ଅନ୍ତର ?

 

 

ଯେବେ ନ ଜାଣିଛ ତାହା

 

 

ଅନ୍ତର୍ଯ୍ୟାମୀ ନାମ ଦିଅ ଲିଭାଇ ସ୍ୱହସ୍ତେ ।

 

 

ଏକ ଆତ୍ମା ହରି ଅରଜୁନ କାଳେ କାଳେ

 

 

ଶୁଭାଶୁଭ କର୍ତ୍ତା ପରା ଅଟେ ନାରାୟଣ !

 

 

ଶୁଣ ଥରେ ଦାସୀର ବଚନ ।

 

(ଗୀତ)

[ଆଜି ଜଣାଉଛି ଭାଇମାନଙ୍କୁ – ବୃତ୍ତେ]

 

ପଶାଖେଳ ବେଳ ଦୁରୁଦଶା ହେ କଂସାରି, ଦେଖିଛୁ ତ ମୋର ଆଗରେ ।ପଦ। କେଶ ଟାଣିକରି ଦୁଃଶାସନ । ମୋତେ କରୁଥିଲା ବିବସନ । ବିନା ଦୋଷେ ଠେଲି ଶୋକ-ସାଗରେ ହେ, ଯେହ୍ନେ ଗରୁଡ଼ ଗ୍ରାସଇ ନାଗରେ ।୧। ତହିଁ ଭୀମର ପ୍ରତିଜ୍ଞା ଶୁଣି । ତମେ ବନ୍ଧନ ନ କଲି ବେଣୀ । ଦୁଃଶାରକ୍ତ ଦେବେ ଅନୁରାଗରେ ହେ, ବାଳ ବାନ୍ଧିବି ହେଲେ ଏ ଯୋଗରେ ।୨। ବାଞ୍ଛାନିଧି ସେ ବାଞ୍ଛା ପୂରଣ । କର କର ବାରଣ ତାରଣ । ଅବଳାକୁ ନ ଛଳାଅ ରଙ୍ଗରେ ହେ, ତାହା ମନେପଡ଼ି ପୋଡ଼େ ଅଙ୍ଗରେ ।୩। କାଳୀୟ ନାଗ ଗରବଗଞ୍ଜନ । ଅଳି ରଖ ଯାମଳାଭଞ୍ଜନ । ରଣେ ମାତ ନେଇ ପାର୍ଥ ସଙ୍ଗରେ ହେ, ବଇ ବୋଲେ ଜୟୀ ହୁଅ ବେଗରେ ।୪।

 

 

 

ଧନଞ୍ଜୟ !

 

 

ଯାଅ ଶୁଭେ, ରଣେ ଜିଣ ନ ପଡ଼ୁ ଆପଦ

 

 

ଶତ୍ରୁ ନାଶି ମନୋବାଞ୍ଛା ପୂରାଅ ଗାଣ୍ଡୀବୀ !

 

 

ଦଧିବାମନ ସୁମରି ପଶ ଯା ସମରେ

 

 

କେଶ ମୁକୁଳା କଷଣ ନାଶ ମୋର ବୀର !

 

 

ଆସିଲେଣି ସୁଭଦ୍ରାଙ୍କ ତୁଲେ ଶାଶୁ ମୋର

 

 

ଅର୍ଘ୍ୟ ଘେନି ବନ୍ଦାଇବା ପାଇଁ ।

 

 

(ସୁଭଦ୍ରା ଓ କୁନ୍ତୀଙ୍କର ପ୍ରବେଶ)

ସୁଭଦ୍ରା

(କୃଷ୍ଣଙ୍କୁ ବନ୍ଦାଇ) ଭାଇ, ସ୍ୱାମୀ ତୁଲେ ରହି ରଣଜୟକରି ଆସ

 

 

ଚିରଦିନ ପାଣ୍ଡବେ ତୋ ଦାସ ।

କୁନ୍ତୀ

କେଶବ ରେ ! (ଶ୍ରୀ କୃଷ୍ଣଙ୍କୁ ଅର୍ଘ୍ୟ ଦେଇ)

 

 

ସାରଥି ହୋଇଣ ପାର୍ଥରଥେ

 

 

ରଣେ ଶତ୍ରୁ ନାଶି ଆସ ଫେରି,

 

 

ବିପଦୁଁ ରଖିବୁ ଭାଇମାନଙ୍କୁ ତୋହରି ।

ଅର୍ଜ୍ଜୁନ

ଯାଅ ମାତ ! ଯାଅ ଗୋ ପାଞ୍ଚାଳି !

 

 

ଯାଅ ପ୍ରିୟେ ! ଥାଅ ମନସାଧେ

 

 

ନିଜ ନିଜ ବାସଭବନରେ;

 

 

ଚାଲ ସଖା, କର ନା ବିଳମ୍ୱ ।

ଶ୍ରୀକୃଷ୍ଣ

ଆସ ପାର୍ଥ ! ବସ ରଥପରେ

 

 

ଚିନ୍ତା କଲା କ୍ଷଣି ଚିତ୍ତେ ମୁହିଁ

 

 

ଆସି ନନ୍ଦିଘୋଷେ ତୋର

 

 

ଲାଗିଲେଣି ଶଙ୍ଖ ଶ୍ୱେତ ଗୋଖୁର କାମପାଳ

 

 

ଦେଖ, ରଥଧ୍ୱଜେ ବସି ଚାହିଁଛି ମାରୁତି;

 

 

ଆସ, ରଣେ ଯିବା ହେ ବିଜୟି !

ଅର୍ଜ୍ଜୁନ

ଯାଦବେନ୍ଦ୍ର ! ମାୟା ତବ କେ ପାରିବ ବୁଝି ?

 

 

ଇଚ୍ଛାମୟ !

 

 

ଯାହା ଇଚ୍ଛା ହୁଏ କର ତାହା ।

 

 

(ପ୍ରସ୍ଥାନ)

Image

 

[ତୃତୀୟ ଦୃଶ୍ୟ]

(ରଣଭୂମି – ଭୀଷ୍ମ ଓ ଦୁର୍ଯ୍ୟୋଧନଙ୍କ ପ୍ରବେଶ)

 

ଦୁର୍ଯ୍ୟୋଧନ

ଦେଖ ଦେଖ ପିତାମହ !

 

 

ପୂରିଛନ୍ତି ଦୁଇପକ୍ଷ ରଥୀ କୁରୁକ୍ଷେତ୍ରେ

 

 

ତିଳ ପଶିବାକୁ କାହିଁ ନ ଦିଶଇ ପଥ ।

 

 

କହ, ଉଭୟ ବଳଙ୍କୁ ଜିଣିବାକୁ

 

 

ଆମ୍ଭ ମଧ୍ୟେ କେହୁ ଅଛି ବୀର ?

ଭୀଷ୍ମ

ହେ କୌରବପତି !

 

 

ଯାହା ପଚାରିଲ ମୋତେ,

 

 

ଶୁଣ ତା ପ୍ରକୃତ ଅର୍ଥ ଦେଉଛି ବୁଝାଇ ।

 

(ଗୀତ)

[ଶୁଣ ଲୋ ସୁନୀତି – ବୃତ୍ତେ]

 

ଶୁଣ କୁରୁରାଣ ଦିନକରେ ଦ୍ରୋଣ ଜିଣିବ ଏ ବେନି ଥାଟେ । ପାଞ୍ଚ ଦିନେ କର୍ଣ୍ଣ ଜିଣିବ ଏମାନ ସାତଦିନେ ଶଲ୍ୟ ଆଣ୍ଟେ । ୟାଙ୍କୁ କରିବ ଜୟ । ଏଥି ତିଳେ ନାହିଁଟି ସନ୍ଦେହ ।। ଏକନିଃଶ୍ୱାସରେ ଅଶ୍ୱତ୍‌ଥାମା ରଥୀ ସନ୍ଥିପାରେ ଏ ବଳକୁ । ଅର୍ଦ୍ଧ ନିଃଶ୍ୱାସରେ ଅର୍ଜ୍ଜୁନ ନାଶିବ ଜାଣେ ମୁଁ ତାର ବଳକୁ-। ୟାଙ୍କ ବିନୁ କେ ଆନ । ନ ହୋଇବେ ନିଧନେ ଭାଜନ ।। ଧରନ୍ତେ ଗାଣ୍ଡୀବୀ ଗାଣ୍ଡୀବ ଶ୍ରୀକରେ କମ୍ପିଉଠଇ ମୋ ଦେହ । ତାର ଗୁଣନାଦେ ଦ୍ରୋଣ ଦ୍ରୋଣୀ ଦୁଇ ଭୟରେ ହେବେ ଅଥୟ-। କୃତବର୍ମା ଶଲ୍ୟର । କରୁ ଖସିଣ ପଡ଼ଇ ଶର ।। ସମରେ ଅକମ୍ପ ଅଟଳ ଅଟଇ ଏକା ଜାଣ ସବ୍ୟସାଚୀ । ତା ସମାନ ବୀର ନ ଥିବେ ତ୍ରିଲୋକେ ଜାଣ ଧୃତରାଷ୍ଟ୍ରବତ୍ସି । ବଇଷ୍ଣବ ଭାରତୀ, ପୁଣି ଶ୍ରୀକୃଷ୍ଣ ଯା’ର ସାରଥି ।୪।

 

ଦୁର୍ଯ୍ୟୋଧନ

ହେ ଗାଙ୍ଗେୟ !

 

 

ତୁମ୍ଭେ ଯେବେ ଭୀତ ହୁଅ ଅର୍ଜ୍ଜୁନ ବାଣକୁ,

 

 

ତେବେ କିମ୍ପା କୃଥା ଆଶ୍ୱାସନା ଦିଅ ମୋତେ ?

 

 

ବୃଥା ମୋର ରାଜ୍ୟଲାଭ ଆଶା ।

 

 

କହ, ଆଜି ରଣ ତେଜି ହେବି ବନବାସୀ

 

 

ଭୁଞ୍ଜନ୍ତୁ ପଞ୍ଚକଟକ ମିଳି ପାଞ୍ଚଭାଇ ।

ଭୀଷ୍ମ

ହେ କୌରବନାଥ !

 

 

ଦୁର୍ବଳ ଲୋକ ପରାୟେ ହେଉ କିସପାଇଁ ?

 

 

ତିଳେ ନାହିଁ ହୃଦେ ତୋ ସାହସ ।

 

 

ମୁହିଁ ଦ୍ରୋଣ ଦୁହେଁ ଯେବେ ଥିବୁ ତୋ ସପକ୍ଷେ

 

 

ସୁର ନର ନାଗଗଣେ

 

 

ନ ବର୍ତ୍ତିବେ ସମ୍ମୁଖ ସମରେ ।

 

 

ଚାଲ, ନିଜ ଥାଟ ଘେନି ମାତିବା ଆହବେ ।

 

 

(ଉଭୟଙ୍କ ପ୍ରସ୍ଥାନ)

 

 

(ଅର୍ଜ୍ଜୁନ ଓ ଶ୍ରୀକୃଷ୍ଣଙ୍କ ପ୍ରବେଶ)

ଅର୍ଜ୍ଜୁନ

କୁହ ଜଗନ୍ନାଥ ! କିଏ ଆସଇ ଏ ଦୂରୁ

 

 

ସଙ୍ଗେ ଛନ୍ତି ବହୁ ମ୍ଳେଚ୍ଛବଳ ?

 

 

ଆସୁଛନ୍ତି ବେନି ଜଣ ଚଳାଇଣ ଥାଟ

 

 

ଦେଖ ପ୍ରଭୁ, ତୁମ୍ଭରି ପାଶକୁ ।

କୃଷ୍ଣ

ରେ ଅର୍ଜ୍ଜୁନ !

 

 

ଏହିଟି କିରାତସେନ ରାଜା,

 

 

ଛନ୍ତି ସଙ୍ଗେ କିରାତ ସଇନି ।

 

 

ପୁତ୍ର ତୁଲେ ଆସିଅଛି ରଣକଥା ଶୁଣି

 

 

ଯୋଦ୍ଧାପଣେ ନାହିଁ କେହି ସମ ତ୍ରିଜଗତେ ।

 

 

ଏ କିରାତସେନ ରାଜନକୁ

 

 

ଆସୁ ଛଳେ ବୁଝିବା ତା ମନୋଗତ ଭାବ ।

 

 

(କିରାତଗଣ ସହ କିରାତସେନର ଧନୁହସ୍ତେ ପ୍ରବେଶ)

(ଗୀତ)

[ଧର ହାଲମାର ପାଲ୍‌ – ବୃତ୍ତେ]

ବଜା ବଜା ମାର୍‌ ମଜା ବାନ୍ଧ୍‌ ହାତୀ ରେ । ଭାଇବାରା ସାଥିରେ ।ପଦ। ଧର କଷି ତୀରକଣ୍ଟା ଢାମଣାକାଠଧନୁ । ବଣେବଣେ ବୁଲୁଥା ଫୁଲାଇ ଛାତି ରେ ।୧। ଧର୍‌ ମାର୍‌ ଗଣ୍ଡା ଗଣ୍ଡା ଗଣ୍ଡା ଖଣ୍ଡାହାତେ । ମଣ୍ଡା ଜାମଡାଳି ମୁଣ୍ଡେ ବୁଲ ରାତିରେ ।୨। ଗୋଡ଼ା ଶିକାର ପୋଡ଼ ପାହାଡ଼୍‌ ଲଗା ନିଆଁରେ । ଦେବା ବଳି ସବେ ମିଳି ଦେବୀ କତିରେ ।୩। ଦୁର୍ଗା ଦୁର୍ଗା ଦୁର୍ଗା ଗାଇ ନାଚ୍‌ ରାଜାକୁ ଘେରି ରେ । ବଇ ଭାଷେ ଯଶ ଘୋଷୁ ଏହି କ୍ଷିତିରେ ।୪।

 

 

(କିରାତସେନର ଶ୍ରୀକୃଷ୍ଣଙ୍କୁ ଚିହ୍ନି ପ୍ରଣାମ)

କିରାତ

ପ୍ରଣାମ୍‌ ଠାକୁରେ, ପ୍ରଣାମ୍‌ !

ଶ୍ରୀକୃଷ୍ଣ

କେ ତୁମ୍ଭେ, ନ ପାରେ ଚିହ୍ନି ମୁହିଁ

 

 

କି ନିମନ୍ତେ ରଣସ୍ଥଳେ ଉପଗତ ତବ ?

 

 

ଏମାନେ କିଏସେ କିସ ଅଟନ୍ତି ତୁମ୍ଭର ?

କିରାତ

ଠାକୁରେ ! ଆସିଥିଲି ଲଢ଼େଇ ଶୁଣିଣ

 

 

ସେନାପତି ହେବି ବୋଲି ପାଣ୍ଡବର ଥାଟେ ।

 

 

ମୁକୁଟ ନ ଦେଲା ତୋର ରାଜା ଯୁଧିଷ୍ଠିର

 

 

ଶବର ବୋଲିଣ ମୋର ମାଥେ ।

 

 

ଏ କାହୁଁ ଜାଣିବେ ମୋତେ ହରି !

 

 

ମୋ ନାମ କିରାତସେନ ରାଜା;

 

 

ତିନିପୁର କ୍ଷଣେ ମୁହିଁ ପାରିବଇଁ ଜିଣି

 

 

କାଣ୍ଡକେ ଏ ମରତକୁ ଦେଇପାରେ ପୋଡ଼ି

 

 

ତୋର ନାମ ଶୁଣି ଆସିଛି ମୁଁ ଯିବି ଏହା କହି ।

ଶ୍ରୀକୃଷ୍ଣ

(ସ୍ୱଗତ) କି କରିବି ?

 

 

ଯେବେ ଏ କିରାତସେନ ଯାଏ ଦୁର୍ଯ୍ୟୋଧନ ପାଶ

 

 

ସେହି ଯେବେ ବରିଣ ଏହାକୁ ଦିଏ ପାଟ,

 

 

ତେବେ ମୋର ପଣ୍ଡୁପୁତ୍ରେ ପଡ଼ିବ ସଙ୍କଟ ।

 

 

ନାହିଁ ସପ୍ତ ବ୍ରହ୍ମାଣ୍ଡେ କେ ଜିଣିବ ଏହାକୁ

 

 

ଉପାୟ ବଳେ ଏହାର ଘେନିବି ଜୀବନ ।

 

 

(ପ୍ରକାଶ୍ୟେ) ଶୁଣ କିରାତ ରାଜନ

 

 

ଜାଣେ ମୁହିଁ ତୁମ୍ଭର ଶକତି

 

 

କି ଶକ୍ତି ଅଛି ପାଣ୍ଡବେ ଚିହ୍ନିବେ ତୁମ୍ଭରେ ?

 

 

ତେବେ ସତ୍ୟ କର, ମାଗିବି ଯା ଦେବ ମୋତେ ଦାନ

 

 

ନେବି ତାହା ତଳହସ୍ତେ ତୋଳି ।

କିରାତ

ସତ୍ୟ ସତ୍ୟ ତିନିବାର ମୋର ବନମାଳି !

 

 

ମାଗ, ଆଗ ଦେବି ତାହା ତୋତେ ।

ଶ୍ରୀକୃଷ୍ଣ

-

ହେ କିରାତନାଥ !

 

 

ତୋର ଶିରକମଳ କାଟିବାକୁ ମୋର ହସ୍ତେ ।

କିରାତ

ସେ ନିମନ୍ତେ ଚିନ୍ତା ମୋର ନାହିଁ ଚିନ୍ତାମଣି !

 

 

ଶୁଣ ଯାହା ଦେବ ! ମୋ ମାଗୁଣି –

(ଗୀତ)

[ଧରୁ ଧରୁ ଉଡ଼ିଗଲା ପକ୍ଷୀରେ – ବୃତ୍ତେ]

ଶିରୀପତି ହେ ! ଶିର କାଟ କାଟ ମୋ ଝଟତି ହେ । ଗିରିବରଟେକା ମରିବାକୁ ତିଳେ ନାହିଁ ମୋ ମନରେ ଭୀତି ହେ ।ପଦ। ତ୍ରେତୟାରେ ଦଶରଥ ଘରେ ଜନ୍ମିଥିଲ ପରା ଚାରିମୂର୍ତ୍ତି ହେ ।୧। ମୁହିଁ ଥିଲି ବାଳି ଚୋର ବାଣେ ଯାଇଁ କପଟେ ଥିଲ ନିପାତି ହେ ।୨। ମୋ ପୁତ୍ର ଅଙ୍ଗଦ ଏ ଜାରା ନିଷାଦ ଖଟିଛି ତୁମ୍ଭରି କତି ହେ ।୩। ଏ ଜନମେ ଚକ୍ରେ ଛେଦିବ ଏ ଶିର, ରଖିବ ବଇ ଆପତ୍ତି ହେ ।

 

 

ଏତିକି ମାଗୁଛି ନାରାୟଣ !

 

 

ତୋର ରଥେ ଥାଇଁ ଶିର ମୋର

 

 

ଦେଖିବି ଭାରତର ରଣ,

 

 

ଅଠର ଦିବସଯାଏ ହରି

 

 

ଜୀବ ରହିଥିବ ଯୁଦ୍ଧ ଶେଷ ପରିଯନ୍ତେ ।

ଶ୍ରୀକୃଷ୍ଣ

କିରାତସେନ !

 

 

ଥାଇଁ ନନ୍ଦିଘୋଷେ ତୋର ମୁଣ୍ଡ

 

 

ଦେଖିବ ଏ ଭାରତ-ସମର

 

 

ଯୁଗେ ଯୁଗେ ମୋ ସ୍ୟନ୍ଦନେ ରହ ରାହୁମସ୍ତକ ପରାୟେ

 

 

ତୋତେ ଦେଖିଣ ସରବେ ଲଭନ୍ତୁ ମୁକତି

 

 

ଏବେ ଚକ୍ରେ ଚ୍ଛେଦୁଛି ମସ୍ତକ ।

କିରାତ

ଯଥା ଆଜ୍ଞା ଜଗତନାୟକ !

 

 

(କିରାତସେନର ଶିରଚ୍ଛେଦନ)

ଶ୍ରୀକୃଷ୍ଣ

କାର୍ଯ୍ୟସିଦ୍ଧି ହୋଇଛି ବିଜୟି !

 

 

ଏବେ କୁରୁବଳେ କର ନାରାଚସନ୍ଧାନ,

 

 

ଦେଖାଅ କ୍ଷମତା ତୋର ହେ ଇନ୍ଦ୍ରନନ୍ଦନ !

 

 

ଜୟଲାଭ କରି ଶୀଘ୍ର ଭୁଞ୍ଜ ରାଜ୍ୟଧନ ।

ଅର୍ଜ୍ଜୁନ

ହେ ଗୋବିନ୍ଦ !

 

 

ଭୀଷ୍ମଦେବ ଆମ୍ଭ ପିତାମହ

 

 

ଧରମ ଲଙ୍ଘିଣ ଶର ପେଷନ୍ତୁ ସେ ଆଗେ;

 

 

ପଛେ ଧର୍ମ ଲଙ୍ଘିବି ମୁଁ ହରି !

ଶ୍ରୀକୃଷ୍ଣ

ହେ ଗାଣ୍ଡୀବୀ !

 

 

ଧାର୍ମିକ ସହିତେ ସିନା ଧର୍ମ-କାରବାର,

 

 

ବିଧର୍ମୀ ସଙ୍ଗେ କାହିଁକି କରୁ ଧର୍ମ ଆଶା ?

 

 

କେଉଁ ଧର୍ମେ ଅଛି ଦେବନାହିଁ ଭାଇଭାଗ ?

 

 

କେଉଁ ଧର୍ମେ ସହୋଦରେ ବିଷଦାନ ?

 

 

କେଉଁ ଧର୍ମେ ଅଛି ରଜସ୍ୱଳା ନାରୀ ଅଙ୍ଗୁ ଟାଣିଣ ବସନ

 

 

ଉଲଗ୍ନ କରିବ ତାକୁ ଗୁରୁଜନ ଆଗେ ?

 

 

କେଉଁ ଧର୍ମେ ଅଛି ଜତୁଗୃହେ ଭ୍ରାତୃଦାହ ?

 

 

ଆଗେ ବିନ୍ଧ ଭୀଷ୍ମେ ତୁହି ଜ୍ୱାଳାବଳି ଶର ।

ଅର୍ଜ୍ଜୁନ

ହେ କମଳାନାଥ !

 

 

କାହାକୁ ବିନ୍ଧିବି ବାଣ ଆଗେ;

 

 

ଯାହାକୁ ଚାହୁଁଛି ସେ ତ ଆମ୍ଭରି ଅଟନ୍ତି ।

 

 

ସଖା ! ଶୁଣ ଥରେ ଭୃତ୍ୟର ଆପତ୍ତି –

 

 

(ଗୀତ)

[କହ କେଣେ ଅଛୁ – ବୃତ୍ତେ]

 

ନାଗଦଳା ଶୁଣ ହେ ! ଆଗ କହୁଛ ଭୀଷ୍ମଙ୍କୁ ବିନ୍ଧିବି ଶର । ଗୁରୁଠାରୁ ଗୁରୁ ସହଜେ ଅଟନ୍ତି ସେହି ପୁଣି ପିତାମହ ମୋହର ।ପଦ। ଦୁର୍ଯ୍ୟୋଧନ ଶତ ଭାଇଙ୍କି ଦେଖୁଛି ସେହିମାନେ ହରି ପରା ସୋଦର । ବହୁ ସ୍ନେହ ମୋତେ କରିଥାନ୍ତି ଦ୍ରୋଣ ବାଳକାଳୁଁ ଅସ୍ତ୍ରଗୁରୁ ଆମ୍ଭର ।୧। ଅଶ୍ୱତ୍‌ଥାମାଠାରୁ ଅଧିକ ମଣନ୍ତି ଦେଖିଲେ ବସାନ୍ତି ନେଇ ଅଙ୍କର । ଅନ୍ତର ଆଖିରୁ ନ କରନ୍ତି ତିଳେ ବିନ୍ଧିବି କେସନେ ଚଳିବ କର ।୨। କୃତବର୍ମା ମନ୍ତ୍ର-ଶାସ୍ତ୍ରେ ଜଗଜ୍ଜିତା ବ୍ରହ୍ମତେଜେ ମୂର୍ତ୍ତି ଦିଶେ ସୁନ୍ଦର । ତାହାଙ୍କୁ କେସନେ ପ୍ରହାରିବି କାଣ୍ଡ ପୋଡ଼ୁ ପୋଡ଼ୁ ମୁଣ୍ଡ ପୋଡ଼ୁ ଏ ଶର ।୩। ତାଙ୍କ ବାମେ ଛନ୍ତି ଭରଦ୍ୱାଜ ନାତି ମନ୍ଥିଦିଏ ଚାହିଁ ଚିତ୍ତ ଭିତର । ତହିଁ ରହିଛନ୍ତି ମଦ୍ରପତି ଶଲ୍ୟ ମାଦ୍ରୀଙ୍କର ଭ୍ରାତ ମାତୁଳେ ସାର ।୪। ଏ ଯେ କର୍ଣ୍ଣ ଜ୍ୟେଷ୍ଠ ଶ୍ରେଷ୍ଠଟି ଅଟନ୍ତି, କୁନ୍ତୀଙ୍କ ଉଦରୁ ଜାତ ତାଙ୍କର । ଅର୍ଥ ପାଇଁ ଯେହୁ ଭ୍ରାତହତ କରେ, ବଇ କହି ନର୍କ ତାର ସୁଚିର ।୫।

 

ଶ୍ରୀକୃଷ୍ଣ

ହେ ଅର୍ଜ୍ଜୁନ ! ଦେଖୁଛି ତୁମ୍ଭର ଭାଗ୍ୟେ ନାହିଁ ଭଲ ଯୋଗ ।

 

 

ଏମାନେ ସିନା ବୋଇଲୁ ଗୁରୁ ଗୁରୁଜନ,

 

 

ଦେଖ ଏ ଶକୁନି ଅଟେ ଅନର୍ଥର ମୂଳ,

 

 

ଲଗାଇଦେଇଛି କଳି ଭାଇରେ ଭାଇରେ ।

 

 

ଦୁର୍ଯ୍ୟୋଧନ ବୁଡ଼ାଇଛି ଯେଣୁ ତାର ବଂଶ

 

 

ତେଣୁ ସେ ରହିଛି ତାର ବଂଶ ନାଶିବାକୁ;

 

 

ଶକୁନିକି ନ ମାଇଲେ ନ ପାଇବ ରାଜ୍ୟ ।

 

 

ଆକାଶମାର୍ଗକୁ ଟେକୁଅଛି ନନ୍ଦିଘୋଷ

 

 

ମାର ଏ ଶତଭାଇଙ୍କି ବିଳମ୍ବ ନ କରି ।

ଅର୍ଜ୍ଜୁନ

ହେ ନନ୍ଦନନ୍ଦନ !

 

 

କିପାଁ ମୋତେ ବଳାଉଛ ଏତେ ?

 

 

ସୋଦର ବିନାଶି କେଉଁ ଫଳ ବା ଲଭିବି ?

 

 

ଏକ ପିତାଠାରୁ ଜାତ ପଣ୍ଡୁ ଧୃତରାଷ୍ଟ୍ର

 

 

ସେହୁ ଜ୍ୟେଷ୍ଠ ଅଂଶ, ଆମ୍ଭେ କନିଷ୍ଠର ଅଂଶ

 

 

କିପାଇଁ ବୃଥାରେ ରାଜ୍ୟପାଇଁ

 

 

ମାରିବି ମୁଁ ନିଜର ଭାଇଙ୍କି ?

 

 

ଯେବଣ ବାଣ ମୋ ତୂଣେ ଅଛି ନାରାୟଣ

 

 

ତାହାକୁ ମାଇଲେ ସୃଷ୍ଟି ଜଳିଯିବ ହେଳେ;

 

 

ରାଜ୍ୟ ଲାଭେ କାର୍ଯ୍ୟ ନାହିଁ ହରି !

 

 

ଜ୍ଞାତି ବନ୍ଧୁ ବଧି କିସ ଯଶ ମୁଁ ପାଇବି ?

ଶ୍ରୀକୃଷ୍ଣ

ହେ ଅର୍ଜ୍ଜୁନ !

 

 

ବାଳକ ସମାନ ମତି ହେଲା ତୋ କି ହେତୁ ?

 

 

ଭୁଲିଗଲୁ କାହିଁ ପୂର୍ବପଣ ?

 

 

ଭୁଲିଗଲୁ କାହିଁ ପୂର୍ବପଣ ?

 

 

ଭୀମ ଯୁଧିଷ୍ଠି ଆସନ୍ତି ଏଣେ

 

 

ତାହାଙ୍କୁ ପୁଚ୍ଛିବା ଏହା ପାର୍ଥ !

 

 

ସେ କିସ କହିବେ ରଣ କରିବା କାରଣ ।

 

 

(ଭୀମ ଓ ଯୁଧିଷ୍ଠିରଙ୍କ ପ୍ରବେଶ)

 

 

ଧର୍ମରାଜ ! ସୋଦର-ବିନାଶେ

 

 

କୁଣ୍ଠିତ ହୁଅଇ କିପାଁ ତୃତୀୟ ପାଣ୍ଡବ ?

ଯୁଧିଷ୍ଠିର

ବାସୁଦେବ !

 

 

ପୋଡ଼ୁ ମୋର ରାଜ୍ୟଲାଭ ଆଶା;

 

 

ନ କରିବୁଁ ଜ୍ଞାତିବଧ ଏ ଭାରତ-ରଣେ ।

ଭୀମ

ହେ ଶ୍ରୀହରି !

 

 

ଭୂତ କି ଲାଗିଛି ଆଜି ପାର୍ଥେ ?

 

 

ନ କରିବୁଁ କିପାଁ ରଣ ଦୁର୍ଯ୍ୟୋଧନ ତୁଲେ ?

 

 

ଦେଲା ମୋତେ ବାଳକାଳେ ବିଷଲଡ଼ୁ ଯେହୁ,

 

 

ଜଉଶାଳେ ଭରି ପାଞ୍ଚଜଣ ମାତା ସହ

 

 

ପୁରୋଚନ କରେ ଦେଲା ଅନଳ ଯେ ପୁଣି,

 

 

ସେ ପୁଣି କେଉଁ ଗୁଣରେ ଆମ୍ଭର ସୋଦର ?

 

 

କେତେ କେତେ ବିପଦରୁ ରଖିଲୁ ଯାହାକୁ,

 

 

ସେ ପୁଣି ଆମ୍ଭର ସଦା ଚିନ୍ତେ ଅମଙ୍ଗଳ ?

 

 

ମତ୍ସ୍ୟଦେଶେ ବିରାଟ-ସଦନେ

 

 

କାହା ଯୋଗେ ନପୁଂସକ ହେଲା ଏ ଅର୍ଜ୍ଜୁନ ?

 

 

କାହା ଯୋଗେ ମୁହିଁ ସୂପକାର ?

 

 

କାହା ଯୋଗେ ଧର୍ମ ସଭାପଣ୍ଡା ?

 

 

କାହା ଯୋଗେ ସୁଦେଷ୍ଣାର ଦାସୀ ଯାଜ୍ଞସେନୀ ?

 

 

କାହା ଯୋଗେ ନକୁଳ ସହଦେବ ପରି କ୍ଷତ୍ରୀ,

 

 

ହେଲେ ସେହୁ ଗୋ-ଅଶ୍ୱ ରକ୍ଷକ ?

 

 

କିପାଁ ସମର ନ କରେ ବୀର ଧନଞ୍ଜୟ

 

 

ସମ୍ପଦ ଦେଇ ଅରଜେ କି ଯୋଗେ ବନ୍ଧୁତା ?

(ଗୀତ)

[ଗଣିଦିଅ ରାଜା – ବୃତ୍ତେ]

ଦିଅ ଅନୁମତି କମଳାବର ! ଭୀଷ୍ମ ଦ୍ରୋଣେ ପିଟି ମୋଡ଼ିବି ଶିର ।ପଦ। ବୁଲାଇ ଏ ଗଦା, କୁରୁବଳେ ପଦା, କରି ପେଷିବଇଁ ମାଂସ ତାଙ୍କର ।। ଦୁଃଶାର ଶୋଣିତ, ଆଣି ଗୋପୀନାଥ ବେଣୀ ବାନ୍ଧିବି ମୁଁ ରାଣୀ କୃଷ୍ଣାର । କୃପ କୃତବର୍ମା, ଶଲ୍ୟର ଗରିମା ଭାଙ୍ଗିବି ଲାଗିବି କର୍ଣ୍ଣ ସଙ୍ଗର । ପଦ୍ମବନ ହସ୍ତୀ, ଯେହ୍ନେ ଦିଏ ମନ୍ଥି, ତେହ୍ନେ ମନ୍ଥିବି ଏ ଥାଟନିକର ।। ରଥେ ରଥ ପିଟି, କରିଣ ଏକାଠି, ଉଡ଼ାଇବି ଶୂନ୍ୟେ କବି ବିଚାର ।।

(ଗଦା ବୁଲାନ୍ତେ)

ଯୁଧିଷ୍ଠିର

ରହ ରହ, ରହ ଆରେ ଭୀମା !

 

 

ସମୟ ବୁଝି ସମର କରିବାକୁ ବେଳ

 

 

ଯାଇ ନାହିଁ ବଳକି ଏଠାରେ ?

 

 

ଆଉଥରେ ଯାଇ ମୁହିଁ ମାଗେ ପଞ୍ଚପଡ଼ା

 

 

ଲକ୍ଷେ ରାଜା ଯୁଟିଛନ୍ତି ଏହି କୁରୁକ୍ଷେତ୍ରେ

 

 

ତାଙ୍କୁ ସାକ୍ଷୀ ରଖି ଆସେ ଧର୍ମକୁ ଛଡ଼ାଇ ।

 

 

ନେଇ ଏ କମଳ ମାଳଗୋଟି

 

 

ଯାଏଁ ଦୁର୍ଯ୍ୟୋଧନ ନିକଟକୁ;

 

 

ନ ମାନେ ମାନଗୋବିନ୍ଦ ଯଦି ମୋର କଥା,

 

 

ଭୀଷ୍ମ ଦ୍ରୋଣେ କୃପେ ମାଗି ଦୋଷ

 

 

ଶୀଘ୍ର ଆସିବି ମୁଁ ଫେରି ।

 

 

(ବେଗେ ମାଳାହସ୍ତେ ପ୍ରସ୍ଥାନ)

ଶ୍ରୀକୃଷ୍ଣ

ଯାଅ ଭୀମ, ଧର୍ମ ପଛେ ପଛେ

 

 

ଘେନି ସଙ୍ଗେ ଶିଖଣ୍ଡୀ ଶ୍ୱେତ ଉତ୍ତରକୁ,

 

 

କାଳେ ଦୁର୍ଯ୍ୟୋଧନ ଯୁଧିଷ୍ଠିରେ ଚିନ୍ତଇ ପ୍ରମାଦ ।

 

 

ତୁହି ତହିଁ ଥିଲେ କେବେ ନ ହେବ ବିପଦ ।

ଭୀମ

ଯଦୁମଣି ! ଚାଲିଲି ମୁଁ

 

 

ସେନା ମଧ୍ୟଦେଇ ସେହି ଠାବେ । (ପ୍ରସ୍ଥାନ)

ଶ୍ରୀକୃଷ୍ଣ

ଆସ ରେ ଅର୍ଜ୍ଜୁନ, ତୋତେ ବୁଝାଇବି ଭଗବତଗୀତା

 

 

ଯାହା ଲେଖ ଅଛି ଅଷ୍ଟାଦଶ ଯୋଗେ ।

Image

 

[ଚତୁର୍ଥ ଦୃଶ୍ୟ]

(ରଣଭୂମି – ଭୀଷ୍ମଙ୍କର ରଣସ୍ଥଳେ ଭ୍ରମଣ)

 

ଭୀଷ୍ମ

କି ଆଶ୍ଚର୍ଯ୍ୟ !

 

 

ଏତେ ସେନାଙ୍କ ଗହଳେ କିପାଁ ଆସେ ଧର୍ମସୁତ ?

 

 

ସଙ୍ଗରେ ଜଣେ କେହି ନାହିଁ

 

 

କରେ ଅଛି ପଦ୍ମମାଳାଗୋଟି

 

 

ଧୀରେ ଧୀରେ କରେ ଗତି ଆମ୍ଭରି ନିକଟେ;

 

 

ଜଣାଯିବ ଏହିକ୍ଷଣି ଆଗତ କାରଣ ।

ଯୁଧିଷ୍ଠିର

(ମାଳାହସ୍ତେ ପ୍ରବେଶ)

 

 

ପିତାମହ ! ପଦତଳେ ପ୍ରଣାମ କରୁଛି ଦାସ ତବ,

 

 

ମୁକ୍ତକଣ୍ଠେ କର ଆଶୀର୍ବାଦ ।

ଭୀଷ୍ମ

ଉଠ, ଉଠ ବତ୍ସ !

 

 

କଲ୍ୟାଣ କରୁଛି ରଣେ ଜୟୀ ହୋଇ

 

 

ହୁଅ ପଞ୍ଚକଟକେ ଈଶ୍ୱର ।

ଯୁଧିଷ୍ଠିର

ପିତଃ ! କିପାଁ ଛଳ ଏତେବେଳେ ସୁତେ

 

 

ଯେ ପକ୍ଷରେ ମାନବଶାର୍ଦ୍ଦୂଳ ଭରଦ୍ୱାଜ ଶିଷ୍ୟ ଦ୍ରୋଣ

 

 

ଯେ ପକ୍ଷରେ ଅତିରଥୀ କର୍ଣ୍ଣ

 

 

ଯେ ପକ୍ଷରେ ଶଲ୍ୟ ମହାବଳୀ

 

 

ଯେ ପକ୍ଷରେ ନିଜେ ପିତଃ ତୁମ୍ଭେ ସେନାପତି,

 

 

ସେ ପକ୍ଷ ପରାସ୍ତ ହେବେ ପାଣ୍ଡବଙ୍କ ବଳେ ?

 

 

ବୃଥା ଆଶା, ବୃଥା ଆଶ୍ୱାସନା ।

 

ଗୀତ (କୀର୍ତ୍ତନ ସୁର୍‌)

 

ଅସମ୍ଭବ ସମ୍ଭବିବ କହ କେହ୍ନେ ପିତା ହେ । ଶୁକ କି ହେବ ସରବ ଶାସ୍ତ୍ରରେ ବକତା ହେ ।ପଦ। ପଶ୍ଚିମେ ଯେବେ କି ଉଦେ ହୋଇବେ ସବିତା ହେ । ବ୍ୟଭିଚାରୀ ହେବେ ଯେବେ ଲକ୍ଷ୍ମୀ ବେଦମାତା ହେ । ଗଙ୍ଗାନୀରେ ପଥର, ଭାସେ ଯେବେ ଭେଳା ପରକାର । ଯେବେ ପଙ୍କଜ ଫୁଟିବ ଗିରିଶିର । ସତ୍ୟ କହିବେ ଯେବେ କଳିରେ ନର । ଏହା ହୋଇବ ହୋଇବ । ମହତର ବାକ୍ୟ ନଷ୍ଟ ନୋହିବ । ଯେବେ ଆଷାଢ଼େ ବସନ୍ତ ବୋହିବ । ଯଦି ବାନର ସଙ୍ଗୀତ ଗାଇବ । ବଇଷ୍ଣବ ଭାଷି ନ ଟଳିବ ତବ କଥା ହେ ।୧।

 

 

 

ପିତାମହ ! ଯେବେ କୃପା କଲ ରାଣ୍ଡସୁତେ,

 

 

ବତାଇଦିଅ କୌରବେ ଜିଣିବୁଁ କେମନ୍ତେ ?

 

 

ବିଶେଷତଃ ତୁମ୍ଭେ ଯେ ଥାଟରେ ସେନାପତି

 

 

ନିତି ଦଶସସ୍ର ଯୋଦ୍ଧା ମାରିବ କହିଛ

 

 

ଦଶ ଦିବସ ପର୍ଯ୍ୟନ୍ତେ,

 

 

ତୋତେ ନ ଜିଣି କେସନେ ଜିଣିବୁଁ କୌରବେ ?

 

 

ବୃଥା ରାଜ୍ୟଲୋଭ ଆଶା ଭବେ ।

ଭୀଷ୍ମେ

ଶୁଣ ରେ ଯୁଧିଷ୍ଠି !

 

 

ଯେତବେଳୁଁ କୌରବପ୍ରଧାନ ଦୁର୍ଯ୍ୟୋଧନ

 

 

ମୋର ମୁଣ୍ଡେ ବାନ୍ଧିଛି ମୁକୁଟ,

 

 

ନ କରିବି ଏତେବେଳେ ନିରାଶ ତାହାକୁ ।

 

 

ପାଳିବି ପ୍ରତିଜ୍ଞା ଦଶ ଦିବସ ପର୍ଯ୍ୟନ୍ତ

 

 

ଦଶସସ୍ର ରଥୀ ନିତି ନିତି

 

 

କରିବି ବିନାଶ ଦଶଦିନେ ।

 

 

ଶେଷ ଯୁଦ୍ଧେ ଶିଖଣ୍ଡୀକି ଅର୍ଜ୍ଜୁନର ରଥେ

 

 

ବସାଇ କରିବ ରଣ ସଙ୍ଗରେ ମୋହର,

 

 

ତାହାକୁ ଦେଖିଲେ ଅସ୍ତ୍ର ତେଜିବି ମୁଁ କରୁ;

 

 

ତୋ ମଙ୍ଗଳେ ଶରଶଯ୍ୟା କରିବଇଁ ବତ୍ସ !

 

 

ମୋ ପରେ ହୋଇବେ ଦ୍ରୋଣାଚାର୍ଯ୍ୟ ସେନାପତି

 

 

ପାଞ୍ଚଦିନ ରଣ ସେ କରିବେ ।

 

 

ଯାଅ, ତାଙ୍କୁ ସନୁଷ୍ଟ କର ବାପ ଏବେ ।

ଯୁଧିଷ୍ଠିର

ଚାଲିଲି ମୁଁ ପିତାମହ, ମାନି ଉପଦେଶ

 

 

କାର୍ଯ୍ୟକାଳେ ଅଭାଗାକୁ ନ କର ନିରଶ ।

 

 

(ଉଭୟଙ୍କ ପ୍ରସ୍ଥାନ)

ଦୁର୍ଯ୍ୟୋଧନ

(ପ୍ରବେଶି) କି ଅଭୁତ ଘଟଣା ଏ ନ ପାରଇ ଜାଣି ?

 

 

ଏତେ ସୈନ୍ୟ ସେନା ମଧ୍ୟେ ଆସେ ଧର୍ମସୁତ

 

 

ଭୀଷ୍ମ, ଦ୍ରୋଣ, ଅଶ୍ୱତ୍‌ଥାମା, ଭୁରିଶ୍ରବା କୃପେ

 

 

ପ୍ରାଣାମ କରି କି କହି ଆସେ ମୋ ନିକଟେ ?

 

 

ଦେଖାଯାଉ କି ଉଦ୍ଦେଶ୍ୟ ତାର ।

ଯୁଧିଷ୍ଠିର

(ପ୍ରବେଶି) ହେ ମାନଗୋବିନ୍ଦ !

 

 

ଆସିଲି ମୁଁ ଆଉ ଥରେ ତୋହର କତିକି

 

 

ଧର୍ମକୁ ଛାଡ଼ିବି ପଞ୍ଚପଡ଼ା ମାଗି ପୁଣି

 

 

ନ ଦେଲୁ ପଛକେ ପଞ୍ଚପଡ଼ା

 

 

ଦିଅ ପଡ଼ାଏକ, ଧରି ଚାରିଭାଇଙ୍କି ମୋହର

 

 

ପଡ଼ିରହିଥିବି ଏକ କୋଣେ ।

 

 

ସନ୍ଧି କର, ବୃଥା ମନ ବଳାନାହିଁ ରଣେ ।

 

 

ଭାଇରେ ଭାଇରେ କେଭେ ନ କର ଅପ୍ରୀତି

 

 

ନ୍ୟାୟରେ ଭାଗ ଆମ୍ଭର ଅଛି ଏ ରାଜ୍ୟରେ ।

ଦୁର୍ଯ୍ୟୋଧନ

ଶୁଣ ଧର୍ମ, ମର୍ମେ ମର୍ମେ ବୁଝିନିଅ ଏହା

 

 

ଯାହା ମୁଁ କହୁଛି ତୋତେ ସର୍ବସମକ୍ଷରେ

 

 

ପାଳିବି ତା ଅକ୍ଷରେ ଅକ୍ଷରେ ।

(ଗୀତ)

[କିପାଁ ରେ ଅମରେ – ବୃତ୍ତ]

କହନା କହନା ସେ କଥା ଯୁଧିଷ୍ଠି ଦହନା ଦହନା ଅନ୍ତର । ତୁ ମୋତେ ମାରିଲେ ନିଅ ପାଞ୍ଚରାଜ୍ୟ ନାହିଁ ମୋ ତହିଁକି ଖାତର ।ପଦ। ମୁଁ ପାଞ୍ଚଜଣଙ୍କୁ ରଣରେ ମାଇଲେ, ପାଞ୍ଚରାଜ୍ୟ ଭୋଗ ଭୁଞ୍ଜିବଇଁ ଭଲେ । ସମସ୍ତଙ୍କୁ ସାକ୍ଷୀ ରଖିଣ କହିଲି ନୁହେଁ ମୁଁ କ୍ଷମାର ପାତର ।୧। ପାଞ୍ଚିଅଛି ସୂଚୀମୂନେ ଏ ବସୁଧା, ଦେବିନାହିଁ ବଞ୍ଚିଥିବାଯାଏ ସୁଦ୍ଧା । ମହା ମହା ଯୋଦ୍ଧା ସଦା ଯା’ ସହାୟ ଡର କାହିଁକି ତାହା ଚିତ୍ତର ।୨। କି ନିର୍ଲଜ୍ଜ ମୁଖେ ପାଖେ ଆସି ମାଗ, ଲାଜ ନାହିଁ ବାରବାର ଭାଇ-ଭାଗ । ବଇଷ୍ଣବ ବୋଲେ ଯାହା ଯା’କୁ ଯୋଗ, ହୁଅ ଏ ସ୍ଥାନରୁ ଅନ୍ତର ।୩।

 

ଯୁଧିଷ୍ଠିର

ଦୁର୍ଯ୍ୟୋଧନ ! ଯେବେ ରଣେ ଏଡ଼େ ତୋ ବସନା

 

 

ଭାଇରେ ଭାଇରେ ହେଉ ଶକ୍ତିର ପରୀକ୍ଷା ।

 

 

ତୁମ୍ଭେ ଶତେ ଭ୍ରାତ, ଆମ୍ଭେ ପାଞ୍ଚ ସହୋବର

 

 

ଦୁହେଁ ମିଶି ହେବା ହଣାହଣି;

 

 

ଯେ ଯାହାକୁ ଜିଣିବ, ସେ ନେବ ଏ ବିଭବ

 

 

ନିର୍ଦ୍ଦୋଷ ନିରୀହ ବନ୍ଧୁବାନ୍ଧବେ କିପାଇଁ

 

 

ମରିବେ ଏ କୁରୁକ୍ଷେତ୍ର ରଣେ ?

ଦୁର୍ଯ୍ୟୋଧନ

ଶୁଣ ଧର୍ମ !

 

 

ଅଭିନେତୃଗଣଙ୍କ ବିହୀନେ

 

 

କେବେ କି ଶୋଭଇ ରଙ୍ଗମଞ୍ଚ ?

ଯୁଧିଷ୍ଠିର

ହେ ରାଜନ୍ୟବର୍ଗ ! କୁରୁପକ୍ଷ ଯୋଦ୍ଧାଗଣ !

 

 

ନ ମାନିଲା ଦୁର୍ଯ୍ୟୋଧନ ମୋ ହିତ ଭାରତୀ

 

 

ବହୁ ଯୋଦ୍ଧା ଏହି ରଣେ ହୋଇବେ ନିଧନ

 

 

ବ୍ରାହ୍ମଣ କ୍ଷତ୍ରିୟ ଆଦିକରି

 

 

ଏଥେଁ ଦୋଷ ନାହିଁଟି ମୋହରି ।

 

 

ଭାଇଭାଗ ନ ଦେଇଣ ଅହଂକାରେ ମାତି

 

 

ମରାଇବ କୁରୁପତି ବନ୍ଧୁ ସହୋଦର ।

 

 

ଦୁଇଦଳେ ସାକ୍ଷୀ ରଖି କରୁଛି ପ୍ରକାଶ

 

 

ଶେଷେ ଅଯଶ ଅଖ୍ୟାତି ନୋହୁ ଯେହ୍ନେ ମୋର ।

 

 

ଯା’ର ଇଚ୍ଛା ହୁଏ, ପାପପକ୍ଷ ତେଜି ଧର୍ମପକ୍ଷ ଆଶ୍ରା କର ।

ସମସ୍ତେ

ସାଧୁ ସାଧୁ, ସାଧୁ ଯୁଧିଷ୍ଠିର !

ଦୁର୍ଦକ୍ଷ

(ହଠାତ୍ ଯାଇ ଯୁଧିଷ୍ଠିର ପକ୍ଷେ ଶରଣ ପଶିବା)

 

 

ହେ ଧର୍ମନନ୍ଦନ !

 

 

ପାପପକ୍ଷ ତେଜି ନେଲି ତୁମ୍ଭର ଶରଣ ।

ଯୁଧିଷ୍ଠିର

ଧନ୍ୟ ଧନ୍ୟ ରେ ଦୁର୍ଦକ୍ଷ !

 

 

ତୋ ଯୋଗେ ରହିବ ସୋମବଂଶ

 

 

ନିର୍ଭୟରେ ରହ ମୋର ପାଶ ।

ଶକୁନି

ହେ ଦୁର୍ଯ୍ୟୋଧନ ! ଦେଖିଲୁ ଏ ସାନଭାଇ ତୋର

 

 

ଦେଖୁ ଦେଖୁ କଅଣ ନ କଲା;

 

 

ଏ ପରା ତୋ ଥାଟରେ

 

 

ଆଗୁଆଣି ହୋଇଥିଲା ?

 

 

ଦେଖିଲୁ ବାପ ! କୁଳାଙ୍ଗାର

 

 

ଭାଇକୁ ଦେଖିଲୁ ?

 

 

ନିଜ ପକ୍ଷ ଛାଡ଼ି ଶରଣ ନେଲାଣି

 

 

ଗଛପଡ଼ା ମାଙ୍କଡ଼ ପରି; ତାକୁ କେଭେ ପଲରେ ପୂରାନା ।

 

 

ଚାଲ, ସମସ୍ତେ ଘେରି ଆଗେ ତାକୁ ମାର,

 

 

ପରେ ଯେଉଁ ବିଚାର ହେବ !

ଦୁର୍ଯ୍ୟୋଧନ

ଦୁଃଶାସନ !

 

 

କେ ଅଛ ରେ, ମାର ଦୁର୍ଦକ୍ଷକୁ

 

 

ଆସ ସର୍ବେ ଘେରି ଅସ୍ତ୍ର ପ୍ରହାର ପାପିଷ୍ଠେ ।

 

 

(ରଣବାଦ୍ୟ; ସମସ୍ତେ ଯୁଦ୍ଧ କରୁ କରୁ ପ୍ରସ୍ଥାନ)

Image

 

ଦ୍ୱିତୀୟ ଅଙ୍କ

[ପ୍ରଥମ ଦୃଶ୍ୟ]

(ରଣଭୂମି, ନନ୍ଦିଘୋଷେ କୃଷ୍ଣାର୍ଜ୍ଜୁନଙ୍କ ପ୍ରବେଶ)

 

ଅର୍ଜ୍ଜୁନ

ଯାଦବେନ୍ଦ୍ର ! ଶୁଭୁଅଛି ଏ କିସ ଚହଳ ?

 

 

ଅନବରତ ଉଠଇ ମାର ମାର ଧ୍ୱନି !

 

 

ରଣବାଦ୍ୟେ ଉଛୁଳଇ କୁରୁକ୍ଷେତ୍ର ଭୂଇଁ,

 

 

ଜାଣିଥିଲେ କହ କୃପାନିଧି !

ଶ୍ରୀକୃଷ୍ଣ

ଶୁଣ ଧନଞ୍ଜୟ ଯାହା ଘଟିଛି କାରଣ

 

(ଗୀତ)

[ହେ ଅବନୀ ପତି – ବୃତ୍ତେ]

 

ଏହି ଦିଗେ ଅନାଇଣ ଦେଖରେ ଅର୍ଜ୍ଜୁନ ! ପଡ଼ା ମାଗି ପୁରି ଥରେ ଯାଇ ଧର୍ମନାନ । କଷ୍ଟେ ଛନ୍ତି ପଡ଼ି ରେ । ଦୁଷ୍ଟ କଉରବେ ତାଙ୍କୁ ବେଢ଼ି ରେ ।୧। ମାରନ୍ତି ଅସ୍ତ୍ର କରନ୍ତି ରେ-କାର ଧ୍ୱନି । ମିଳିଲାଣି ବୃକୋବର ବେନି ଗଦା ଘେନି । ଉଠେ ମହାଗୋଳ ରେ ।ସଙ୍ଗେ ଛନ୍ତି ଶିଖଣ୍ଡୀ ନକୁଳ ରେ ।୨। ଦୁର୍ଦକ୍ଷ ଶରଣ ନେଲା ଧର୍ମପକ୍ଷେ ଯହୁଁ । ଖଳ କୁରୁନାଥ ସହି ନ ପାରିଲା ତହୁଁ । ଆଜ୍ଞା ଦେଲା ରୋଷେ ରେ । ଶରଣାଗତର ପ୍ରାଣନାଶେ ରେ ।୩। ମାନଗୋବିନ୍ଦ ନ ମାନିବାରୁ ଧର୍ମଭାଷା । ସେ ହେତୁ ଭୀଷଣ କାଣ୍ଡ ଘଟିଲା ସହସା । ବଇଷ୍ଣବ ଗିର ରେ । ଏହି କି ସୋଦରବ୍ୟବହାର ରେ ।୪।

 

ଅର୍ଜ୍ଜୁନ

ନାରାୟଣ ! ଶୀଘ୍ର ବାହ ସେ ସ୍ଥାନକୁ ନନ୍ଦିଘୋଷ ମୋର ।

 

 

ଯେବେ ଯୁଧିଷ୍ଠିଙ୍କି ଦୁଷ୍ଟ କରିନିଏ ବନ୍ଦି

 

 

ପାଣ୍ଡବରଷଣବାନା ଛିଡ଼ିବ ତୋହରି;

 

 

କରନା କରନା ତିଳେ ବିଳମ୍ବ ଶ୍ରୀହରି !

ଶ୍ରକୃଷ୍ଣ

କିପାଁ ଭୟ କରୁ ସବ୍ୟସାଚି !

 

 

ସେମାନେ ଅଟନ୍ତି ପରା ସୋଦର ତୁମ୍ଭରି ?

 

 

ଭୀଷ୍ମ ଅଜା ଦ୍ରୋଣ ଗୁରୁ ଅଟନ୍ତିଟି ଜାଣ

 

 

ଶଲ୍ୟ ମାମୁ କର୍ଣ୍ଣ ଜ୍ୟେଷ୍ଠଭ୍ରାତ

 

 

ଅଶ୍ୱତ୍‌ଥାମା ଏମଆତ୍ମା ଅଟନ୍ତି ତୁମ୍ଭର,

 

 

ଏମାନେ ଅଛନ୍ତି କିପାଁ ଭୟ କରୁ ପାର୍ଥ ?

ଅର୍ଜ୍ଜୁନ

ହୃଷିକେଶ ! ପରିହାସ କର ନାହିଁ ଆଉ ।

 

 

ଯୁଧିଷ୍ଠିରେ ନ ପଡ଼ୁ ପ୍ରମାଦ ଚକ୍ରାୟୁଧ !

 

 

ଆଗେ ଧର୍ମ ଲଙ୍ଘିଲେ କୌରବେ,

 

 

କୁରୁସାଗର ମଧ୍ୟକୁ ରଥ ବାହା ଏବେ

 

 

ଶରେ କାଟି ଉଡ଼ାଇବି କୌରବବାହିନୀ ।

ଶ୍ରୀକୃଷ୍ଣ

ସାଧୁ ସାଧୁ ସାଧୁ ! (ପାଞ୍ଚଜନ୍ୟ ଶଙ୍ଖଧ୍ୱନି)

 

 

ଚାଲ ରେ ଅର୍ଜ୍ଜୁନ ! ଟେକିଲି ମୁ୍ଁ ନନ୍ଦିଘୋଷ ।

 

 

(ପ୍ରସ୍ଥାନ)

ଭୀଷ୍ମ

(ପ୍ରବେଶି) ଓଃ, ଏ ଯେ ନନ୍ଦିଘୋଷ ଛୁଟେ ବିଜୁଳି ପରାୟେ

 

 

କପିଧ୍ୱଜ ଗର୍ଜେ ଘନଘନ

 

 

ରଥର ଘର୍ଘରନାଦ ଉଦ୍‌ଗାରେ ଅନଳ;

 

 

ଭୟ ପାଇ ପଳାଅନ୍ତି କଉରବ ବଳେ ।

 

 

ମହା ଭଇରବ ନାଦେ ଭୀମ ମହାବଳୀ

 

 

ଦଳୁଅଛି କୌରବବାହିନୀ ।

 

 

ଦୁର୍ଦ୍ଦଷର ରଥେ ଛନ୍ତି ରାଜା ଯୁଧିଷ୍ଠିର

 

 

ଭେଟିଲାଣି ବୃକୋଦର ପାଇଁଣ ତାହାଙ୍କୁ ।

 

 

ଘେରେ ମୁହିଁ ଏଣେ ନନ୍ଦିଘୋଷ

Unknown

 

 

 

ରେ ରେ ଅର୍ଜ୍ଜୁନ ! କେଣିକି ଯାଉ,ରହ ରହ

 

 

ରଖ ନନ୍ଦିଘୋଷ ମୋ ସମ୍ମୁଖେ ।

ଅର୍ଜ୍ଜୁନ

(କୃଷ୍ଣସହ ପ୍ରବେଶି) ପିତାମହ !

ଅର୍ଜ୍ଜୁନ

(କୃଷ୍ଣସହ ପ୍ରବେଶି) ପିତାମହ !

 

 

ତୁମ୍ଭେ ଆମ୍ଭ ଗୁରୁପରେ ଗୁରୁ

 

 

ମେରୁ ଟାଳିବାକୁ ହେବ ଶକତି କାହାର ?

 

 

ତୁମ୍ଭେ ଥାଉଁ ପ୍ରମାଦ ପଡ଼ିଲା ପଣ୍ଡୁସୁତେ

 

 

ଏହା ନେତ୍ରେ ଦେଖି ସ୍ଥିର ହୋଇଛ କେମନ୍ତେ ?

 

 

ବୁଦ୍ଧି ଥିଲେ ସନ୍ଧି କର, ବଂଶକ୍ଷୟ ନୋହୁ ।

ଭୀଷ୍ମ

ଆଉ କିପାଇଁ ସେ କଥା କହୁ ଆରେ ବତ୍ସ !

 

 

ଦୁର୍ଦ୍ଦଷ ଶରଣ ନେଲା, କାହିଁ ପୁଣି ସନ୍ଧି ?

 

 

ନଷ୍ଟବୁଦ୍ଧି ଦୁର୍ଯ୍ୟୋଧନ ଲଙ୍ଘିଲାକ ଧର୍ମ;

 

 

ପୁଣି ସନ୍ଧିକଥା ତୁଣ୍ଡେ ନ ଧର ଅର୍ଜ୍ଜୁନ !

 

 

ଆମ୍ଭଙ୍କୁ ରଣେ ନାଶିଲେ ତୋର ସର୍ବସିଦ୍ଧି,

 

 

ପୂର୍ଣ୍ଣ ହେବ ଆମ୍ଭ ମନୋରଥ ।

ଅର୍ଜ୍ଜୁନ

ପିତାମହ ! ପିତାମହ ! ଏ କି କଥା କହ ଏ ଅଧମେ ? (ପଦଧାରଣ)

 

ଗୀତ (କୀର୍ତ୍ତନ ସୁର)

 

ଏଥିପାଇଁ ସାନଦିନୁ ସ୍ନେହେ ପାଳିଥିଲ ଅଜା ହେ । ତହିଁର କି ପୁରସ୍କାର ଶେଷେ ମିଳିଲା ଏ ସଜା ହେ ।ପଦ। ବାଣ ବିନ୍ଧିବାକୁ ହାତ କେହ୍ନେ ଚଳିବ କହ ତ । ଯେଉଁ ହସ୍ତେ କରୁଥିଲି ନିତି ଏ ଚରଣ ପୂଜା ହେ ।୧। ଯେବେହେଁ ସଞ୍ଚିଲ ବଳ, ତୁଣ୍ଡେ ଦେଇ ଅନ୍ନ ଜଳ । ସେ ବଳ ହେଲା କି ଆଜି ତୁମ୍ଭରି ବିନାଶେ ଖୋଜା ହେ ।୨। ଶସ୍ତ୍ର-ଶାସ୍ତ୍ର ମନ୍ତ୍ର ବିଦ୍ୟା, ଶିକ୍ଷା ଦେଇଥିଲ ସଦା । ଦେଖିବା ପାଇଁ କି ଦୁଇ ଆଖିରେ ଏମନ୍ତ ମଜା ହେ ।୩। ଯା ମଙ୍ଗଳେ ଚିରକାଳ, ତେଜୁଥିଲ ନେତ୍ରୁ ଜଳ । ସେ କାଳ ହେଲେ ଏକାଳେ ଏକି ବିହି ବୁଝାଶୁଝା ହେ ।୪। ପଡ଼ିଲେ ଏ କଥାମାନ, ପୋଡ଼େ ହୃଦ ଘନଘନ । ବଇଷ୍ଣବ ନିବେଦନ ନ ଉଡ଼ୁ ଅଖ୍ୟାତି ଧ୍ୱଜା ହେ ।୫।

 

ଭୀଷ୍ମ

(ସ୍ୱଗତ) ରେ ଦଗ୍‌ଧ ହୃଦୟ ! ଶୀଘ୍ର ହୁଅ ରେ ବିଦୀର୍ଣ୍ଣ ।

 

 

ରେ ନୃଶଂସ ଅସି ! ଖସିପଡ଼ୁନାହିଁ କିପାଁ କରୁ ?

 

 

ପୋଡ଼ିପାରେ କାର୍ମୁକ ନାରାଚ ।

 

 

ରେ ରାଣ୍ଡସୁତେ ଅଭାଗା ପାଣ୍ଡବେ,

 

 

ପିତୃ ଭାବି ପିତୃ ବିନିମୟେ

 

 

ଚିରକାଳ ପୂଜିଲ ଯାହାକୁ,

 

 

ସେହି ଶେଷେ ଶତ୍ରୁ ହେଲା ପୁଣି !

 

 

ବହିଥିଲା କି ଏ ଭୀଷ୍ମ ଶତବଳ ଧନୁ

 

 

ନିଜ ପାଳିତ ଶିଶୁଙ୍କୁ ବଧିବା ମାନସେ

 

 

ଛି ଛି, ଧିକ୍‌ ଧିକ୍‌ ରେ ପରାଧୀନ ବୃତ୍ତି

 

 

ନାହିଁ ତୋଠାରେ ନିଜ ଆତ୍ମୀୟ ବାନ୍ଧବ

 

 

ନାହିଁ ତୋ ହୃଦୟେ ମାୟା-ମମତାର ସତ୍ତା

 

 

ନାହିଁ ତୋ ହୃଦରେ ଦେବ ବିପ୍ର ଆରାଧନା;

 

 

ଛି ଛି ପରାଧୀନତା !

 

 

ଆଜିଠାରୁ କେହି ତୋତେ ଆଦର ନ କରୁ । (ପ୍ରକାଶେ)

 

 

ରେ ଅର୍ଜ୍ଜୁନ ! କିପାଁ ପୂର୍ବ-ସ୍ମୃତି ଜାଗୁ ହୃଦେ

 

 

ଏତେବେଳେ ନୁହେ ଏହା ଅର୍ଜିତ କାହାରି

 

 

ଅଛି ଏହା ପରଂପରା ଲେଖା ।

(ଗୀତ)

[କି ଉପାୟ କରିବି ମାତଳି - ବୃତ୍ତେ]

ବତ୍ସ କେବେ ମିଛ ହୋଇଛି କି ମୁନିବାଣୀ ରେ । ସ୍ୱଚ୍ଛେ ଏହା ମନେ ମନେ ଦେଖ ବୀର ପୁଣି-ରେ-।୧।-ଦେଇ ନଦେଇ ଦେଖି ନଦେଖି ମଲା ଶୁଣି ରେ ! ଏ ଚାରି କଥା କି ବୃଥା ହେବ ଥାଅ ଜାଣି ରେ-।୨। ଦେଇ ମଲା ବଳୀ ଦାନ ଦାନବଙ୍କ ମଣି ରେ । ନ ଦେଖି ମଲା ଅଯୋଧ୍ୟା ଅଜସୁତ ପୁଣି ରେ-।୩। ଦେଖି ମରିଅଛି କଂସ ପଡ଼ିଣ ଧରଣୀରେ ରେ । ନ ଦେଇ ମରିବ ଦୁର୍ଯ୍ୟୋଧନ ବଇ ଭଣି ରେ-।୪।

 

ଅର୍ଜ୍ଜୁନ

ଯେବେ ଜାଣ ଏହା ପିତାମହ !

 

 

ନ ଦେଇ ମରିବ ଭାଇଭାଗ ଦୁର୍ଯ୍ୟୋଧନ;

 

 

ତାର ଲାଗି କିପାଁ ପ୍ରାଣ ହରାଇବ ତୁମ୍ଭେ ?

ଭୀଷ୍ମ

ଜାଣିନାହୁଁ ପାର୍ଥ, ତୁହି ଏହା

 

 

ଏ ଭାରତ-ରଣେ ମଲେ କୃଷ୍ଣମୁଖ ଦେଖି

 

 

କାରଣ ଲଭିବୁଁ ଜାଣ ଆମ୍ଭେ ।

 

 

ଯେବେ ଜ୍ଞାତି-ବନ୍ଧୁନାଶେ ଏଡ଼େ ତୋର ଭୟ

 

 

ରାଜ ଲୋଭ ତେଜି ବନେ ବୁଲ ଯା ବିଜୟି !

 

 

(ନେପଥ୍ୟେ) ଭୀଷ୍ମଦେବ ! ରକ୍ଷାକର ରକ୍ଷାକର,

 

 

ଏ ଭୀମ ଯମମୁଖରୁ ଆମ୍ଭଙ୍କୁ ରକ୍ଷାକର ରକ୍ଷାକର ।

ଶ୍ରୀକୃଷ୍ଣ

ରେ ଅର୍ଜ୍ଜୁନ ! ମନେ କି ଭାବିଛୁ ଆଉ ହେବ ଏଥି ସନ୍ଧି

 

 

ଭୁଲି ଯାଇ ତାହା,ଶତ୍ରୁ ନାଶ ଶିର ବିନ୍ଧି ।

ଭୀଷ୍ମ

ହେ ଅର୍ଜ୍ଜୁନ ! ଦୁର୍ଯ୍ୟୋଧନେ ଜିଣିବାକୁ କ୍ଷମତା କାହାର ?

 

 

ଯେ ପକ୍ଷରେ ଭୀଷ୍ମ ଦ୍ରୋଣ କର୍ଣ୍ଣପରି ଛନ୍ତି ଧନୁର୍ଦ୍ଧର ?

ଅର୍ଜ୍ଜୁନ

ପିତାମହ ! ବୃଥା ଦର୍ପ ନ କର ପ୍ରକାଶ

 

 

ସହସ୍ରେକ ଭୀଷ୍ମ ପୁଣି ଦ୍ୱିସହସ୍ର ଦ୍ରୋଣ

 

 

ତିନିସସ୍ର ଶଲ୍ୟ ଚାରିସସ୍ର ଅଶ୍ୱତ୍‌ଥାମା

 

 

ପାଞ୍ଚସସ୍ର କୃପ ଛଅସସ୍ର ଭୁରିଶ୍ରବା

 

 

ସାତସସ୍ର କୃତବର୍ମା ଆଠସସ୍ର କର୍ଣ୍ଣ

 

 

ଏକତ୍ର ହୋଇ ଯଦ୍ୟପି ଯୁଝିବେ ମୋ ତୁଲେ,

 

 

ମାନଗୋବିନ୍ଦକୁ କେହି ନ ପାରିବେ ରଖି ।

 

 

ଏହି ଦେଖ, କଲି ନମସ୍କାର ପିତାମହ !

 

 

(ଶରକ୍ଷେପଣ, ଭୀଷ୍ମ-ଚରଣ-ବନ୍ଦନ)

ଭୀଷ୍ମ

ଓଃ, ଦେଖୁ ଦେଖୁ ପଦେ ବାଣ କଲା ମୋ ପ୍ରଣାମ !

 

 

ରେ କରୀଟି ! ଏହି ଦେଖ, ପଞ୍ଚଶରେ କରୁଛି ଆଶିଷ

 

 

(ଶରକ୍ଷେପଣ, ଅର୍ଜ୍ଜୁନ-ଗଣ୍ଡେ ଚୁମ୍ବଦାନ)

 

 

ସମ୍ଭାଳ ଏ କଙ୍କପକ୍ଷ ଲୌହ ତୀକ୍ଷ୍‍ଣମୁନା ।

ଅର୍ଜ୍ଜୁନ

ତ୍ରିଶାଖା ନାରାଚେ ଦେଖ ଏହା କଲି ଚୂନା ।

 

 

(ରଣବାଦ୍ୟ, ଶର ପ୍ରୟୋଗ)

ଭୀଷ୍ମ

ସମ୍ଭାଳ ମୋ ଜଳଧାରା ଶର,

ଅର୍ଜ୍ଜୁନ

ବାୟବାସ୍ତ୍ରେ କରୁଛି ସଂହାର ।

 

 

(ରଣବାଦ୍ୟ, ଯୁଦ୍ଧ କରୁ କରୁ ପ୍ରସ୍ଥାନ)

ନେପଥ୍ୟେ

ଜୟ କୁରୁପତି ଦୁର୍ଯ୍ୟୋଧନ ରାଜାଙ୍କର ଜୟ ।

Image

 

[ଦ୍ୱିତୀୟ ଦୃଶ୍ୟ]

(ରଣଭୂମି, କୃଷ୍ଣାର୍ଜ୍ଜୁନ ଓ ଶ୍ୱେତ ରଣସ୍ଥଳେ ଉପସ୍ଥିତ; ତତ୍ପରେ ସାତ୍ୟକିର ପ୍ରବେଶ)

 

ଅର୍ଜ୍ଜୁନ

ହେ ଗୋବିନ୍ଦ !

 

 

କି ଭାବି ଶ୍ୱେତ କୁମରେ ଆଜି କଲ ସେନାପତି ?

 

 

କି କରିବ ଏ ବାଳୁତ କୌରବ ଥାଟର ?

ଶ୍ରୀକୃଷ୍ଣ

ତୁ କାହୁଁ ଜାଣିବୁ ପାର୍ଥ, ଶ୍ୱେତର ବିକ୍ରମ

 

 

ଅନେକ କ୍ଷତି କରିଛି କାଲି କୁରୁଙ୍କର ।

 

 

ଯେବେ ଆଗଠାରୁ ଏହୁ ହୋଇଥାନ୍ତା

 

 

ସେନାପତି ପାଣ୍ଡବ ପକ୍ଷରେ,

 

 

ନ ଥାନ୍ତେ କୌରବେ ଆଜି ଧରାରେ ଗୋଟିଏ ।

 

 

ନିଜେ ଶ୍ୱେତଶିରେ ମୁହିଁ ବାନ୍ଧୁଛି ମୁକୁଟ ।

 

 

ଯାଅ ବତ୍ସ ! ଶୁଭେ ବିଜେ କର ଯାଇଁ ରଥେ

 

 

ସାରଥି ହେଉ ସାତ୍ୟକି ରଥରେ ତୋହର ।

ସାତ୍ୟକି

ଯେବେ ମୁଁ ସାରଥି ୟାର ହେବି ଯଦୁନାଥ !

 

 

ତିନିବାର କରୁ ସତ୍ୟ ମୋହରି ଆଗରେ

 

 

ଶତ୍ରୁ ସମ୍ମୁଖ-ସମରେ ନ ଫେରେ ମୋ ରଥ ।

ଶ୍ୱେତ

ଧନ୍ୟ ଧନ୍ୟ । ଶିନିର ନନ୍ଦନ !

 

 

ଉପଯୁକ୍ତ ସାରଥି ମୁଁ ପାଇଲି ତୁମ୍ଭଙ୍କୁ;

 

 

ଦେଲି ତବ କରେ ଏହି ମୁକ୍ତାମାଳ ଗୋଟି ।

 

 

ଆଣ ସାଜି ସତ୍ୱରେ ମୋ ରଥ

 

 

କୁଶଳେ ମେଲାଣି ଦିଅ ଏବେ ମୋତେ ହରି !

(ଗୀତ)

[ଜୟ ରଘୁନାଥ – ବୃତ୍ତେ]

ଦେଇ ଶିରେ ପଦ କର ଆର୍ଶୀବାଦ ହେ ଗୋବିନ୍ଦ ତୋର ଦାସେ । ଛେଦି କୁରୁବଳ ବହି ଦେହେଁ ବଳ ଆସି ଯେହ୍ନେ ମିଳିବ ତୋ ପାଶେ । ରଣ-ଜୟବାନ । ଉଡ଼ୁ ନଭ ଚୁମ୍ବି ନନ୍ଦକହ୍ନା ।୧। ଭୀଷ୍ମ ଦ୍ରୋଣ ଦ୍ରୋଣୀ କର୍ଣ୍ଣ ଶଲ୍ୟ ଭୁରିଶ୍ରବାଙ୍କୁ କରି ପରାସ୍ତ । ସନ୍ତରିବି ସୁଖେ ସମରସାଗରେ ତୋର ଦୟା ଥିଲେ ରାଧାନାଥ । ବାଧା-ବିଘ୍ନ ଡରି । ପଳାନ୍ତି ତୋ ନାମେ ହେ ଶ୍ରୀହରି ।୨। ନଳିନଚରଣଧୂଳି ଶିରେ ବୋଳି କାଳ ପାଇଲା ଉଦ୍ଧାର । ସେହି ରଜ ଲାଗି ରମଣୀ ପଥରେ ଶୁଣିଛି ହେଲା ପଥର । ହେ ମନ୍ଦରଟେକା ! ବକାଚିରା ଅଘା-ତାଳୁଠୁଙ୍କା ।୩। ଅଭିମନ୍ୟୁ ଶଙ୍ଖ ଉତ୍ତର ମୋହର ସହିତରେ ଥିବେ ରହି । ନନ୍ଦିଘୋଷେ ବସି ଦେଖୁଥିବୁ ରଣ ସଖାକୁ ସଙ୍ଗରେ ନେଇ । ବଇଷ୍ଣବ ଭଣି । ବିଳମ୍ୱ ନ କରି ବଂଶୀପାଣି ।୪।

ସମସ୍ତେ

ଜୟ ଧର୍ମରାଜ ଯୁଧିଷ୍ଠିରଙ୍କର ଜୟ । (ଶଙ୍ଖଧ୍ୱନି)

ଶ୍ରୀକୃଷ୍ଣ

ଚଳ ଶ୍ୱେତ, ଆଗେ ଆଗେ ଘେନି ତୋର ରଥ

 

 

ପଛେ ନନ୍ଦିଘୋଷକୁ ମୁଁ ନେଉଛି ଚଳାଇ ।

 

 

ସତର୍କ ଭାବେ କୁମର ରହି କର ରଣ

 

 

ଏହି ଦେଖ, ଉଲ୍ଲାସେ ନାଚନ୍ତି କୁରୁଗଣ । (ସମସ୍ତଙ୍କର ପ୍ରସ୍ଥାନ)

 

 

 

 

 

(ରଣବାଦ୍ୟ; ଯୁଦ୍ଧ କରୁ କରୁ ଦ୍ରୋଣ ସହ ଶ୍ୱେତର ପ୍ରବେଶ)

ଦ୍ରୋଣ

ରେ ପାମର ବିରାଟନନ୍ଦନ !

 

 

ନୁହେ ମୁହିଁ କୃପ ଭୁରିଶ୍ରବା ଅଶ୍ୱତ୍‌ଥାମା

 

 

ରଣଭଗ୍ନ କରି ମୋତେ କରିବୁ ପରାସ୍ତ

 

 

ଏହି ବାର ସମ୍ଭାଳ ମୋ ଅସ୍ତ୍ର ।

ଶ୍ୱେତ

ହେ ଆଚାର୍ଯ୍ୟେ !

 

 

ଭୀତ ନୁହେଁ ଶ୍ୱେତ ତବ ରଣେ

 

 

ପରୀକ୍ଷା ହେଉ ଶକତି ବାଳ-ବୃଦ୍ଧଙ୍କର

(ଗୀତ)

[ନରେ ଭଜ ରାମ ନାମ – ବୃତ୍ତେ]

ବୁଝା ମନକୁ ହେ ଅଜା ! ଏହି ରଣ ନୁହେ ଶ୍ରାଦ୍ଧ ବିଭା ଦେବପୂଜା ହେ ।ପଦ। ଯଜମାନଙ୍କୁ ଯଜାଇ, ଚକଟିବ ଚୂଡ଼ା ଦହି । ତହିଁରେ ଲୁଣ ମିଶାଇ ମାରୁଥିବ ମଜା ହେ ।୧। ପ୍ରେତ-ଉଚ୍ଛିଷ୍ଟ ତଣ୍ତୁଳ, ଭୁଞ୍ଜି ସୁଖେ ହର କାଳ । ମିଛେ ମିଛେ ଛତିଶ ପାଟକେ ହୁଅ ରାଜା ହେ ।୨। କୁଶପାତ୍ରୀ ଗଡ଼ୁ ଛତା, ଉତ୍ତରୀ ଚିତା ପଇତା । ତାହା ତେଜି ବହ ଏହା ନ ମାଡ଼ଇ ଲଜ୍ଜା ହେ ।୩। ତେଜି ସ୍ରୁବ ସ୍ରୁଚ ଦଣ୍ତି, ଧନୁ ତୂଣ କନ୍ଧେ ମଣ୍ତି । ଗାୟତ୍ରୀ ହୋଇଛି ପ୍ରାଣୀବଧ ମନ୍ତ୍ର ଖଞ୍ଜା ହେ ।୪। ଯଜ୍ଞକୁଣ୍ତଟି ଉଦର, କୁରୁଅନ୍ନ ଚରୁ ସାର । ତୋଷାମୋଦ ଭାଷା ବେଦ ଏ ନୁହେ କି ସଜା ହେ ।୫। କି ପବିତ୍ର ଧର୍ମ ତେଜି, ପରାଧୀନେ ଅଛ ମଜ୍ଜି । କେସନେ ସହିଛି ମହୀ ଭାଷେ ବଇ ଦ୍ୱିଜା ହେ ।୬।

ଦ୍ରୋଣ

ରେ ରେ ଅଜ୍ଞାନୀ ବାଳକ ଶ୍ୱେତ,

 

 

ସହି ନୁହେ ତୋ ବିଦ୍ରୂପ ବାକ୍ୟ

 

 

ବହୁ ଅସ୍ତ୍ର ପ୍ରତିଅସ୍ତ୍ରେ ଛେଦିଛୁ ମୋହର

 

 

ସମ୍ଭାଳ ଏ ବାଡ଼ବାଗ୍ନି ଶର ।

ସାତ୍ୟକି

ସମ୍ଭାଳ ଶ୍ୱେତ, ଆସେ ଦ୍ରୋଣ-ବାଣ

 

 

ଦେଖି ତୋ ବିକ୍ରମ କଲେ ପାଣ୍ତବେ ଭରସା

 

 

ତୋ ଦୁଇ ବାହୁକୁ ଭୀଷ୍ମ ରଣେ ।

ଶ୍ୱେତ

ହେ ସାତ୍ୟକି ! କିପାଁ ଭୟ କରୁ ଏଡ଼େ ଚିତ୍ତେ ?

 

 

ମୋତେ ସାହା ହୋଇଥିଲେ ତୁହି

 

 

ଶତ ଦ୍ରୋଣ ଶତ ଭୀଷ୍ମ ହେଲେ

 

 

ଲୋମେ ମୋର ନ ପାରିବେ ଟାଳି ।

 

 

ହେ ଆଚାର୍ଯ୍ୟେ !

 

 

ଦେଖ ଦେଖ କେ କାହାକୁ କରୁଛି ବିନାଶ

 

 

ଶୀଘ୍ର ଶୀଘ୍ର ଏଡ଼ ନିଜ ଅସ୍ତ୍ର ।

 

 

(ରଣବାଦ୍ୟ, ଯୁଦ୍ଧ କରୁକରୁ ଉଭୟଙ୍କର ପ୍ରସ୍ଥାନ)

ନେପଥ୍ୟେ

ରକ୍ଷାକର, ରକ୍ଷାକର, ଗଙ୍ଗାର ନନ୍ଦନ !

 

 

ପୋଡ଼ିମଲୁ ପୋଡ଼ିମଲୁ ଅଦ୍ୟ ରଣେ ଶ୍ୱେତବାଣେ ସର୍ବେ ।

 

 

(ବେଗେ ଦୁର୍ଯ୍ୟୋଧନାଦିଙ୍କର ପ୍ରବେଶ)

ଦୁର୍ଯ୍ୟୋଧନ

ଦୁଃଶାସନ ଦୁର୍ମଦ ଦୁରାନ୍ତ ଦୁରାପଦ !

 

 

ଶୀଘ୍ର ଯାଇ କହ ଭୀଷ୍ମ ଦ୍ରୋଣ କର୍ଣ୍ଣ କୃପେ

 

 

ଯାଆନ୍ତୁ ସମସ୍ତ ରାଜାଗଣେ ଘେନି ରଣୁ;

 

 

ଏକାକୀ ଭାଇଙ୍କି ସଙ୍ଗେ ଘେନି ମୁଁ ଯୁଝିବି ।

 

 

ପୂର୍ବେ ମୋତେ କହିଛି ଯୁଧିଷ୍ଠି,

 

 

ବହୁତ ଲୋକ ମେଳିରେ ଇନ୍ଦୂର ନ ମରେ ।

 

 

(ଦ୍ରୋଣଙ୍କର ପ୍ରବେଶ)

 

 

ହେ ଆଚାର୍ଯ୍ୟେ ! ଦେଖିଲି ମୁଁ ସବୁରି କ୍ଷମତା

 

 

ଶ୍ୱେତ କୁମରେ ଜଣେ କେ ହେଲନାହିଁ ସରି;

 

 

ଛାଡ଼ିଲି ମୁଁ ଆଜଠାରୁ ତୁମ୍ଭରି ଭରସା

 

 

ଶୁଣ ଯାହା ପାରିଛି ମୁଁ ବୁଝି –

ଗୀତ

[ହେ ତପୋଧନ – ବୃତ୍ତେ]

ହେ ଗୁରୁ ଦ୍ରୋଣ ! ଜଣାଗଲା ତୁମ୍ଭ ପଣ । ବହୁତ କପୋତ ହୋଇଲେ ଏକତ୍ର ଜିଣିବେ କି ସେ ସଞ୍ଚାଣ ।ପଦ। ପଣ ପଣ ଛେଳି ହେବେ ଯେବେ ମେଳି । ବଳିବେ କି ବ୍ୟାଘ୍ରେ ଜାଣ ।୧। ବହୁତ ବିଷୟ ହେଲେ ଯାନ୍ତି କ୍ଷୟ । ଜଗତେ ଏ ପ୍ରାଣୀଗଣ ।୨। ଅନେକ ରମଣୀ ଏକତ୍ରରେ ଜିଣି । ପାରିବେ କି ପୁଂସେ ପୁଣ ।୩। ମୁହିଁ ସେହିପରି ହରାଇଲି ଶିରୀ । ଭାଷେ ବୈଷ୍ଣବଚରଣ ।୪।

 

 

ହେ ଆଚାର୍ଯ୍ୟେ !

 

 

ଛାଗଳପଲ ସମାନ ଥାଟ ମୋ ଅଟନ୍ତି;

 

 

ବ୍ୟାଘ୍ରପରି ଅଟେ ଶ୍ୱେତ ବିରାଟର ବଳା ।

 

 

ମୋ ସେନାଏଁ ଦେଖ ରମ୍ଭାବନ;

 

 

ତହିଁ ଶ୍ୱେତ ହୋଇଣ ପବନ ।

 

 

ତୃଣ ହେଲେ ଏ ମୋ ସେନାଗଣ

 

 

ଶ୍ୱେତ ଦାବାନଳ ହୋଇ ଦେଲା ତାଙ୍କୁ ପୋଡ଼ି ।

 

 

ତୁମ୍ଭେ ପ୍ରାୟେ ମେରୁ ଆଶ୍ରାକରି

 

 

ହେଲା ନାହିଁ ମୋର ଦୁଃଖ ଦୂର ।

ଦ୍ରୋଣ

ହେ ମାନଗୋବିନ୍ଦ !

 

 

ପବିତ୍ର ଭର୍ତ୍ସନା ଆଉ ନ ଦିଅ ଆମ୍ଭଙ୍କୁ ।

 

 

ଜାଣିବୁ କାହୁଁ ଏ କୂଟସନ୍ଧି କୁରୁନାଥ !

 

 

କପଟୀ ଶକୁନି ସଂସର୍ଗରେ

 

 

ହେଲା ତୋର ଦୁର୍ଦ୍ଦଶା ଏସନ ।

 

 

କୁରୁନାଥ ! ଧୈର୍ଯ୍ୟ ଧର, ନ ହୁଅ ଅଧୈର୍ଯ୍ୟ

 

 

କାଲି ମୋର ଦେଖିବୁ ତୁ ରଣ

(ଗୀତ)

[ଆଗୋ ଯମୁନା ଯିବ କେ – ବୃତ୍ତେ]

ମାନଗୋବିନ୍ଦ ତୁ ଅଭିମାନ ତେଜ । କରୁଛି ତ୍ରିବାର ସତ୍ୟ କାଲି ଶତ ଶତ ଶ୍ୱେତ ସହି ନ ପାରିବେ ଦ୍ରୋଣ ତେଜ ।ପଦ। ଯେବେ ହତ ନୋହିବ ବିରାଟସୁତ ରଣେ । ନ ଧରିବି ଅସ୍ତ୍ରଶସ୍ତ୍ର ନ ଜପିବି ଇଷ୍ଟମନ୍ତ୍ର, ନ ବହିବି ଯଜ୍ଞସୂତ୍ର ବୋଝ ।୧। ସମ୍ମୁଖ-ସଂଗ୍ରାମେ ଏ କାର୍ମୁକ ଦେବି ଫିଙ୍ଗି । ନ ଭକ୍ଷିବି ଅନ୍ନଜଳ ବନେ ରହି ବଣ୍ୟ ଫଳ, ଭୁଞ୍ଜିବି ନ ମଣ ଏହା ବ୍ୟାଜ ।୨। ଗଜ ଯେଉଁପରି ଦଳିଦିଏ କଞ୍ଜବନ । ତେସନ ପାଣ୍ଡବ ଥାଟ ମନ୍ଥିବି ନାହିଁ କପଟ, ରସେ ଭାଷେ ବଇଷ୍ଣବ ଦ୍ୱିଜ ।୩।

ଦୁର୍ଯ୍ୟୋଧନ

ଏ କଥା କାର୍ଯ୍ୟରେ ପରିଣତ ନ ହେବା ଯାଏ

 

 

ମନ କେଭେଁ ସ୍ଥିର ହେବ ନାହିଁ ।

 

 

ଚାଲ, ରାତ୍ର ହେଲାଣି ଅଧିକ

 

 

ଆଜି ଶ୍ୱେତ କଲା ଯାହା କ୍ଷତି

 

 

ନ ଭୁଲିବ କୁରୁନାଥ ପ୍ରାଣ ଥିବାଯାଏ ।

 

 

(ଉଭୟେ ପ୍ରସ୍ଥାନ)

Image

 

[ତୃତୀୟ ଦୃଶ୍ୟ]

(ରଣଭୂମି – କୃଷ୍ଣାର୍ଜ୍ଜୁନଙ୍କ ପ୍ରବେଶ)

 

ଶ୍ରୀକୃଷ୍ଣ

ଦେଖ ଦେଖ, ଦେଖ ରେ ବିଜୟି !

 

 

ଏଣେ ଘଟୋତ୍କୋଚ ହିଡ଼ିମ୍ବୀନନ୍ଦନ ।

 

 

ଦୁଃଶାସନେ କରିଣ ପରାସ୍ତ ଆସେ ଫେରି;

 

 

ପଳାଇଲା ଦୁଃଶାବୀର ହସ୍ତିନା କଟକେ ।

 

 

ପୁଣି ଏଣେ ଶ୍ୱେତ କର୍ଣ୍ଣ-ରଣେ କରି ଜୟ

 

 

ନାଶି ବହୁ କୁରୁଥାଟ ଯୁଦ୍ଧ କଲା ଅଶ୍ୱତ୍‌ଥାମା ସହ ।

 

 

ଓଃ ! କି ବିଦ୍ୟୁତ୍‌ବେଗେ ପଳାଉଛି ଅଶ୍ୱତ୍‌ଥାମା

 

 

ଶ୍ୱେତବାଣ ନ ପାରିଣ ସହି ।

ଅର୍ଜ୍ଜୁନ

ପ୍ରଭୋ ! ପ୍ରଭୋ ! ଏହି ଦେଖ ଆଚାର୍ଯ୍ୟଙ୍କ ତୁଲେ

 

 

ଭୟଙ୍କର ରଣ କରେ ଶ୍ୱେତ !

 

 

ଯେତେ ଅସ୍ତ୍ର ମାରୁଛନ୍ତି ଗୁରୁ,

 

 

ପ୍ରତିଅସ୍ତ୍ରେ ନ ଆସୁଁ ତା ଉଡ଼ାଏ ବିରାଟୀ ।

 

 

ନାରାୟଣ ! ନାରାୟଣ ! ବର୍ତ୍ତମାନ କହ କି ଉପାୟ ?

 

 

ବ୍ରହ୍ମାସ୍ତ୍ର ପେଷନ୍ତି ଦ୍ରୋଣ ଗୁରୁ

 

 

ଏ ବାଣ ମୁଖରୁ ତ୍ରାଣ ନ ପାଇବ ଶ୍ୱେତ ।

 

 

ଦେଖ କୋଟି ସୂର୍ଯ୍ୟ ତେଜ ସେହି ଅସ୍ତ୍ର ବହେ ।

ଶ୍ରୀକୃଷ୍ଣ

ହେ ସାତ୍ୟକି ! ହେ ସାତ୍ୟକି ! ଘୁଞ୍ଚାଇଣ ଆଣ ଶ୍ୱେତରଥ

 

 

ଦ୍ରୋଣ ପେଷନ୍ତି ବ୍ରହ୍ମାସ୍ତ୍ର ରୋଷେ;

 

 

ଶିଶୁହତ୍ୟା ଦୋଷ ବହନାହିଁ ଅବଶେଷେ ।

ଅର୍ଜ୍ଜୁନ

ଯାଦବେନ୍ଦ୍ର !

 

 

ଏଣେ ଦେଖ ଆସେ ଭୀଷ୍ମ-ରଥ,

 

 

ଟେକ ନନ୍ଦିଘୋଷ ମୋର ନେଇ ତାର ଆଗେ

 

 

ଆଜି ଦେଖେ, କେତେ ଶକ୍‌ତି ଅଛଇ ବୃଦ୍ଧ ଅଙ୍ଗେ ।

 

 

(ବେଗେ ଉଭୟର ପ୍ରସ୍ଥାନ)

 

 

(ସାତ୍ୟକି ଓ ଶ୍ୱେତର ପ୍ରବେଶ)

ଶ୍ୱେତ

ହେ ସାତ୍ୟକି !

 

 

ନ ଜାଣୁ କି କ୍ଷତ୍ରିୟଙ୍କ ଧର୍ମକର୍ମ ତୁହି ?

 

 

କିପାଁ ରଥ ଦ୍ରୋଣ ସମ୍ମୁଖରୁ ମୋର ଆଣିଲୁ ହଟାଇ ।

 

(ଗୀତ)

[ଆଉ ନ ଭାଳ ନ ଭାଳ – ବୃତ୍ତେ]

 

ସାତ୍ୟକି ଏକି ରୀତି ଆଜି ତୋର । କେଡ଼େ ଉଚ୍ଚବଂଶ ହୋଇ ଅବତଂଶ କଳୁ ଯା ନୀଚ ଆଚାର ।ପଦ। କିଞ୍ଚିତେ ତୋ ଚିତ୍ତେ ନ ପାଞ୍ଚିଲୁ ପଛେ ହେବ କିସ ହାନିଲାଭ । ବଞ୍ଚିଣ କି ଖ୍ୟାତି ଅର୍ଜିବି କ୍ଷିତିରେ ପଞ୍ଚମନେ ଥରେ ଭାବ ।୧। ବୀରଙ୍କ ସମ୍ମୁଖେ ଶିର ଟେକିବାକୁ ନ ରଖିଲୁ ତୁହି ବାଟ । ଧିକ ମୋର ଧନୁ-ତୀରକୁ ବହିବା ଧିକ ଧିକ ଏ ମୋ ଆଣ୍ଟ ।୨। କ୍ଷତ୍ରିୟର ମାନ ପାଶେ ଜୀବନର ମୂଲ୍ୟ ନାହିଁ ଲେଶେ କାଳେ । ଅସ୍ତ୍ରେ ମରିବାକୁ ଗଢ଼ା ଏ ଶରୀର ଦ୍ୱିଜ ବଇଷ୍ଣବ ଭାଳେ ।୩।

 

ସାତ୍ୟକି

ହେ ବିରାଟୀ !

 

 

ଯେବେଳେ ବ୍ରହ୍ମାସ୍ତ୍ର ବସାଇଲେ ଗୁଣେ ଦ୍ରୋଣ,

 

 

ସେହି କାଳେ ପଛୁଁ ଡ଼ାକ ଦେଲେ ଯଦୁପତି

 

 

ଘୁଞ୍ଚାଅ ଶ୍ୱେତ ରଥକୁ ବହନ ସାରଥି ।

 

 

ଶଙ୍କା ଜାତ ଯେଣୁ ହେଲା ଶଙ୍ଖାରି ଅନ୍ତରେ

 

 

ତେଣୁ ତାଙ୍କ ଆଜ୍ଞା ମାନି ହଟାଇଲି ରଥ;

 

 

ଏବେ ଦ୍ରୋଣ ସମ୍ମୁଖକୁ ନେଉଛି ସ୍ୟନ୍ଦନ

 

 

ବ୍ୟସ୍ତ ନୁହ ସୁଦେଷ୍ଣାନନ୍ଦନ ।

 

 

(ଦ୍ରୋଣ ସମ୍ମୁଖରେ ରଥ ସ୍ଥାପନ)

ଦ୍ରୋଣ

(ପ୍ରବେଶି) ରେ ନିର୍ଲଜ୍ଜ ବିରାଟକୁମର !

 

 

ଦେଖ ଏହି, ଯମ ଅଟେ ତୋର ।

ଶ୍ୱେତ

-

ସେ ନିମନ୍ତେ ଡରିନାହିଁ ଶ୍ୱେତବୀର ତିଳେ

 

 

ପ୍ରହାର ତୁ ଯଥାଶକ୍ତି ବଳେ ।

 

 

(ଉଭୟର ଯୁଦ୍ଧ ବ୍ରହ୍ମାସ୍ତ୍ରେ ଶ୍ୱେତର ପତନ)

ନେପଥ୍ୟେ

ଜୟ କୌରବଗୌରବରବି ଦୁର୍ଯ୍ୟୋଧନଙ୍କର ଜୟ ।

 

 

(ଶଙ୍ଖଧ୍ୱନି)

ଦ୍ରୋଣ

ଚାଲ ବୀରଗଣେ, ଆଜି ରଣ ହେଲା ଶେଷ ।

ସାତ୍ୟକି

ଯାଏଁ ମୁଁ ବିରାଟକୁ; କହେ ଦ୍ରୋଣକଲେ ଶ୍ୱେତର ବିନାଶ ।

 

 

(ଉଭୟର ଉଭୟ ଦିଗେ ପ୍ରସ୍ଥାନ)

Image

 

[ଚତୁର୍ଥ ଦୃଶ୍ୟ]

(ଜଇନ୍ତାପୁର)

 

ବିରାଟ

ହା ପୁତ୍ର ଶ୍ୱେତ ରେ !

 

 

ମୋର ଆଶା-ଭରସାର ସ୍ଥଳ

 

 

ଭୀଷ୍ମ ଦ୍ରୋଣ କୃପ କର୍ଣ୍ଣ ସମରେ ଜିଣିଣ

 

 

ଅବଶେଷେ ପ୍ରାଣ ଦେଲୁ ବ୍ରହ୍ମଶକ୍ତିମୁଖେ

 

 

ରଖିଗଲୁ ଯଶ ସୁତ, ତୁ ଚାରିଯୁଗକୁ,

 

 

ଓଃ ! ଏ କାହାର କଣ୍ଠସ୍ୱର ?

 

 

କରିଣ ରୋଦନ ଆସେ ନିକଟେ ମୋହରି

 

 

ଏ ଯେ ଶ୍ୱେତର ଦୁଃଖେ କାନ୍ଦଇ ଉତ୍ତରା ।

 

(ଗୀତ)

[ଆରେ ମନ୍ଦ ଦଇବ – ବୃତ୍ତେ]

 

ତାତ ରଖ ଗୁହାରି, କାହିଁ ଭାଇ ଆଣିଦିଅ ପାଶେ ମୋହରି ହେ ।ପଦ। ଦିଶେ ସେ ସୁନ୍ଦର ମୁଖ । ଡାକିଲେ ନ ଆସେ ପାଖ । ସରିଗଲା ସବୁ ସୁଖ ମରିବି ଝୁରି ହେ ।୧। ରେ ବଜ୍ର କିପାଇଁ ଚାଣ୍ଡେ । ନ ପଡ଼ୁ ଅଭାଗୀ ମୁଣ୍ଡେ । ଯାଉନାହିଁ ପିଣ୍ଡୁ ପ୍ରାଣ କିପାଁ ବାହାରି ହେ ।୨। ତୋ ପିତା କୁଳହରଣ । କାରଣ କି ଏହି ରଣ । ହୋଇଥିଲା ଭେଇଥିଲେ ଏହା ଶ୍ରୀହରି ହେ ।୩। ଉତ୍ତରା ନେତ୍ରପଥରେ । ଭାଇ ଦେଖାଦିଅ ଥରେ । କାନ୍ଦୁଛି ରାଜପଥରେ କାତରା ପରି ହେ ।୪। ହାୟ ରେ ଦାରୁଣ ବିଧି । କି ହେବ ଏ ଦାଉ ସାଧି । ବଇ ବୋଲେ ସରବ ଅବିଧି ତୋହରି ରେ ।୫।

 

 

 

ହା ପିତା ! ପିତା ! କାହିଁ ଭାଇ, ଦେଖା ଆଣି ମୋତେ ।

ବିରାଟ

ରହିବ ନାହିଁ ଜୀବନ ଭାଇର ବିହୀନେ

 

 

ଉତ୍ତରା ! ଉତ୍ତରା ! କାତର ହୋଇ ତୁ ଏତେ ନ କର ରୋଦନ;

 

 

ବୀରଧର୍ମ ପାଳିଛି ତୋ ଭାଇ

 

 

ବୀରକାର୍ଯ୍ୟେ ଦେଇଛି ଜୀବନ ।

 

 

ହା ବତ୍ସ ! ଶ୍ୱେତ ରେ !

 

 

(କୃଷ୍ଣ ପ୍ରବେଶି)

ଶ୍ରୀକୃଷ୍ଣ

କିପାଁ ଶୋକ କର ହେ ବିରାଟ !

 

 

ସୁତ ତବ ଅକ୍ଷୟ ଯଶ ରଖିଲା ଭାରତଭୂମିରେ

 

 

ରଣଯଜ୍ଞେ ଝାସ ଦେଇ ବସିବ ଅମରେ ।

 

 

ଚାଲ ମାତ, ଚାଲ ଅନ୍ତଃପୁରେ

 

 

ବୃଥା ଶୋକ କରିଲେ କି ହେବ ?

ବିରାଟ

ହା ବତ୍ସ, ଶ୍ୱେତ ରେ !

 

 

(ସମସ୍ତଙ୍କର ପ୍ରସ୍ଥାନ)

Image

 

ତୃତୀୟ ଅଙ୍କ

[ପ୍ରଥମ ଦୃଶ୍ୟ]

(ରଣଭୂମି – ଯୁଦ୍ଧ କରୁ କରୁ ଭୀଷ୍ମ ଅର୍ଜ୍ଜୁନଙ୍କର ପ୍ରବେଶ)

 

ଭୀଷ୍ମ

ରେ ଅର୍ଜ୍ଜୁନ !

 

 

ସମ୍ଭାଳ ଏ ଅମୋଘ ଶକତି

 

 

ଏ ଶକ୍ତିମୁଖରୁ ତୋର ନାହିଁ ପରିତ୍ରାଣ

 

 

ପ୍ରତିଅସ୍ତ୍ର ନ ପାରିବୁ କରି ରେ ଗାଣ୍ଡୀବୀ !

ଶ୍ରୀକୃଷ୍ଣ

ହେ ଅର୍ଜ୍ଜୁନ !

 

 

ଦେଖ ଏଣେ ବିନ୍ଧେ ଭୀଷ୍ମ ସଂସାରଦହନ ଶକ୍ତି ଗୋଟି

 

 

ଏକମୂର୍ତ୍ତି ଥିଲା ସେହି ଶର

 

 

ଗୁଣେ ବସାନ୍ତେ ହୋଇଲା ସହସ୍ର ମୂରତି

 

 

କୋଟିଏ ଆଦିତ୍ୟ ତେଜେ ଦହିବ ସକଳ ।

 

 

ଆଜି ରଣେ ପ୍ରାଣ କା’ର ନ ରହିବ ପାର୍ଥ !

 

 

ତୋର ନନ୍ଦିଘୋଷ ଦେବ ଜାଳି

 

 

ନୀରବେ ରହିଲୁ କିପାଁ ନ ଦେଇ ଉତ୍ତର ?

 

 

(ସ୍ୱଗତ) ନା, ନ ପାରିବ ପାର୍ଥ ୟାକୁ କରି ପ୍ରତିଶର,

 

 

ଚକ୍ର ପେଷି ହାଣିବି ଶକ୍ତିକି ।

 

 

ସୁଦର୍ଶନ ! ଯାଅ ଶୀଘ୍ର କାଟ ଶକ୍ତିଅଙ୍ଗ ।

 

 

(ରଣବାଦ୍ୟ; ଚକ୍ର ଶକ୍ତିକୁ କାଟନ୍ତେ ଭୀଷ୍ମଙ୍କର ଅସ୍ତ୍ରତ୍ୟାଗ)

ଦୁର୍ଯ୍ୟୋଧନ

(ପ୍ରବେଶି) ପିତଃ ! ପିତଃ କିପାଁ ଅସ୍ତ୍ର ତେଜ ଏତେବେଳେ ?

ଭୀଷ୍ମ

ହେ ମାନଗୋବିନ୍ଦ !

 

 

ପାଣ୍ଡବେ ପଶ ଶରଣ ମାନି ମୋର କଥା ।

 

 

ଯେଉଁ ଶକ୍ତି ଧରିଥିଲି ପାଣ୍ଡବ ବିନାଶେ

 

 

ତାହା କୃଷ୍ଣ ପକାଇଲେ ସୁଦର୍ଶନେ ଛେଦି ।

 

 

ସେହୁ ଯେବେ ହେବେ ବାଦୀ ଏଥେଁ

 

 

କେ ଯୁଝିବ ତାଙ୍କରି ସହିତେ ?

ଦୁର୍ଯ୍ୟୋଧନ

କି କହିଲ ଶାନ୍ତନୁନନ୍ଦନ !

 

 

ଏତେ କାଣ୍ଡ କଲା ସେହି ଚକ୍ରୀ ?

 

 

ନିୟମ କରିଛି ସେହୁ ବଳରାମ ଆଗେ

 

 

କୁରୁରଣେ ଅସ୍ତ୍ର ନ ଧରିବ ।

 

 

ବଳରାମେ ଚିନ୍ତା କରେ; ଆସନ୍ତୁ ଏ ଠାବ ।

 

 

(ଦୁର୍ଯ୍ୟୋଧନ ଚିନ୍ତାମଗ୍ନ; ବଳରାମଙ୍କ ପ୍ରବେଶ)

ବଳରାମ

କିପାଁ ମୋତେ କରିଲ ସ୍ମରଣ ଦୁର୍ଯ୍ୟୋଧନ !

ଦୁର୍ଯ୍ୟୋଧନ

କାମପାଳ ! ତବ ଆଶ୍ରୟରେ ମୋର ସକଳ ବିଫଳ ।

 

 

କୃଷ୍ଣ ଆଶ୍ରେ ପଞ୍ଚରାଜ୍ୟ ଭୋଗିବେ ପାଣ୍ଡବେ;

 

 

ଭୀଷ୍ମ ଶକ୍ତି ଛେଦିଲେ ଶ୍ରୀକୃଷ୍ଣ ଚକ୍ର ଧରି ।

 

 

ତବ ପଦ ଛୁଇଁ, ଅସ୍ତ୍ର ନ ଧରିବେ କୁରୁରଣେ

 

 

ନିୟମ କରିଣ ଥିଲେ ହରି ।

ବଳରାମ

କି କଥା କରିଲା କୃଷ୍ଣ ଲଙ୍ଘିଣ ସତ୍ୟକୁ

 

 

ଆରେ ରେ କୌରବେ ! ଚାଲିଲି ମୁଁ

 

 

କେ ରକ୍ଷା କରିବ ଆଜି ମୋର କରୁ ପାଣ୍ଡବମାନଙ୍କୁ ।

 

(ଗୀତ)

[କାହା ଭାବେ ମଜ୍ଜି ଆଜି – ବୃତ୍ତେ]

 

ଆରେ ରେ ପାଣ୍ଡବେ, କେହୁ ସାହା ହେବ ଆଜି । ହଳ-ମୂଷଳେ ପିଟିଣ ମାରିବି ରେ ପାଜି ।ପଦ। କେମନ୍ତେ ରଖିବ ରଖୁ ଜଗନ୍ନାଥ । ଯମସଦନକୁ ପଡ଼ିଲାଣି ପଥ । ନନ୍ଦିଘୋଷ ରଥକୁ ନିମିଷେ ଦେବି ଭାଜି ।। କମ୍ପି ଉଠିବ ରେ ସସାଗରା ଧରା । ଝଡ଼ିବେ ଗଗନୁ ଗ୍ରହ ଚନ୍ଦ୍ର ତାରା । ଭୂଚର ଖେଚରବାସୀ ପଳାଇବେ ତେଜି ।। ସତ୍ୟ କରି ସତ୍ୟ ଲଙ୍ଘିଲା ଗୋବିନ୍ଦ । କି ହେତୁ ତା ବୁଦ୍ଧି ହେଲା ଏଡ଼େ ମନ୍ଦ । ଛୁଇଁଥିଲା ମୋ ଚରଣ ନ ପାରିଲା ହେଜି ।। କାହିଁ ଅଛ ଧାଇଁଆସ ରେ ବହନ-। ହଳୀ କ୍ରୋଧାନଳେ ହୁଅ ରେ ଦହନେ । ବଇ କହି ଯା’କୁ ଯାହା ବିହି ଅଛି ଖଞ୍ଜି ।।

 

ଭୀମ

ଆସ ଆସ ଘଟୋତ୍କଚ ସାତ୍ୟକି ଉତ୍ତର !

 

 

ଘେରି ସର୍ବେ ମାର ବଳରାମେ

 

 

ତମତମ ହୋଇ ରାମ ଧାଇଁଛି ଏଠାକୁ ।

ଅର୍ଜ୍ଜୁନ

ହେ ଶ୍ରୀହରି !

 

 

ମାରିବି ମୁଁ ବଳରାମେ, ନ କରିବ ମନା

 

 

ହଳ-ମୂଷଳ ବୁଲାଇ ଧାଇଁଛନ୍ତି ଅନା ।

 

 

(ଭୀମ ଗଦା ବୁଲାଇ ଧାମନ୍ତେ)

ଶ୍ରୀକୃଷ୍ଣ

ରହ ରହ, ରହ ବୃକୋଦର !

 

 

ଯାନ-ବାହାନୁ ଉତୁରି ସର୍ବେ ତେଜ ଅସ୍ତ୍ର ।

 

 

ଯାହାଙ୍କର ବଳ ଅଟେ କୋଟିଏ ସିଂହର

 

 

ଲାଙ୍ଗଳେ ଯେ ତାଡ଼ିଲେ ହସ୍ତିନା,

 

 

ତାଙ୍କୁ ରଣେ ଜିଣିବ କେ ଅଛି ତ୍ରିଜଗତେ ?

 

 

ଅସ୍ତ୍ର ତେଜି ସର୍ବେ ଛିଡ଼ାହୁଅ ଶୂନ୍ୟହସ୍ତେ

 

 

ନମସ୍କାର କର କରଯୋଡ଼ି ରଙ୍ଗପଦେ ।

ବଳରାମ

(ମଉନେ ରହି) କହ କୃଷ୍ଣ !

 

 

ଭୀଷ୍ମ-ରଣେ କିପାଁ ଅସ୍ତ୍ର ଧଇଲୁ ତୁ କରେ ?

 

 

ଦ୍ୱାରକାର ନିୟମ କି ମନୁ ଗଲୁ ଭୁଲି ?

 

 

ଆଜି ପାଣ୍ଡବେ ନାଶିବି ଲାଙ୍ଗଳ ମୂଷଳେ ।

ଶ୍ରୀକୃଷ୍ଣ

ବୁଝି କୋପ କର ହେ ଅଗ୍ରଜ !

 

 

ଲଙ୍ଘି ନାହିଁ କଦାପି ନିୟମ

 

 

ପଚାର କର୍ଣ୍ଣ ଦ୍ରୋଣାଦି ଛନ୍ତି ଯେତେ ଏଥେଁ

 

 

ପାଣ୍ଡବେ ନ ମାରି ମୋତେ ମାର ହେ ଲାଙ୍ଗଳି !

 

 

ଗୋଟି ଗୋଟି ପଚାରିଣ ବୁଝ କାମପାଳ,

 

 

କେ ମୋ କରେ ଦେଖିଛନ୍ତି ଅସ୍ତ୍ର ?

ବଳାରାମ

ହେ ଦ୍ରୋଣ, ହେ କର୍ଣ୍ଣ, ଭୁରିଶ୍ରବା କୃପାଚାର୍ଯ୍ୟ,

 

 

ପ୍ରକୃତ କି ରଣ କରିଅଛି ମୋ ଅନୁଜ ?

 

 

ସତ କୁହେ ଦେଖିଥିଲେ ମୋତେ ନେତ୍ରେ ।

ସମସ୍ତେ

ନାହିଁ ନାହିଁ, ଆମ୍ଭେମାନେ ଦେଖିନାହୁଁ କେହି ।

ବଳରାମ

ହେ ମାନଗୋବିନ୍ଦ ! କହ, ଦେଖିଲୁ କି ତୁହି ?

ଦୁର୍ଯ୍ୟୋଧନ

କୃଷ୍ଣ ଅସ୍ତ୍ର ଧରିବାର ମୁଁ ତ ଦେଖିନାହିଁ ।

ବଳରାମ

ହେ ଭୀଷ୍ମ ! ଶ୍ରୀକୃଷ୍ଣ ରଣ କରିବା ଦେଖିଛ କି ନେତ୍ରେ ?

ଭୀଷ୍ମ

ଅମୋଘ ଶକ୍ତି ମୋହର ହୋଇଅଛି ନଷ୍ଟ;

 

 

କିନ୍ତୁ ଦେଖିନାହିଁ ହରିକରେ ଅସ୍ତ୍ର କେଭେ; ନ କହିବି ମିଛ ।

ଶ୍ରୀକୃଷ୍ଣ

ଏବେ ତ ମାନିଲା ମନ ଭାଇ !

 

 

ଅର୍ଜ୍ଜୁନ କି ମୋର ଅସ୍ତ୍ର ନ କରେ ବେଭାର ?

 

 

ବୁଝିଲ ତ ପ୍ରମାଣ ମୋ ରଣ କରିବାର ।

ବଳରାମ

ମାରିବି ଭୀଷ୍ମକୁ ନିଶ୍ଚେଁ ଦେଖ ଏହି ଠାବେ ।

 

 

(ଭୀଷ୍ମଙ୍କ କେଶ ଧାରଣ)

ଶ୍ରୀକୃଷ୍ଣ

ଭାଇ ! କୋପ ଶାନ୍ତ କର

 

 

ଅପାତ୍ରିକ ଅପୁତ୍ରକ ପାପୀକି ନ ମାର ଦେବ କେଭେ ।

ବଳରାମ

ଦୁର୍ଯ୍ୟୋଧନ, କଳି ନ କରିଣ ଦୁଇ ଭାଇ ଯାଅ ମିଳି ।

ଦୁର୍ଯ୍ୟୋଧନ

କରିଛି ନିୟମ, ନ ମାନିବି କାହା କଥା ଆହେ ଦେବ ହଳି !

ବଳରାମ

ହେ ଅଚ୍ୟୁତ, ପାଣ୍ଡବେ ସହାୟ ହୋଇ

 

 

କର ରଣ ସମାପତ ।

 

 

ନ ଦେଖିବି ଏ ବସ୍ଥଭତ୍ସ କାଣ୍ଡ ମୁଁ ନୟନେ;

 

 

ଯାଉଛି ମୁଁ ପ୍ରୟାଗ ତୀର୍ଥକୁ ।

ଶ୍ରୀକୃଷ୍ଣ

ଆଶୀର୍ବାଦ କରିଯାଅ ଏ ରାଣ୍ଡପୁଅଙ୍କୁ ।

 

 

(ସମସ୍ତଙ୍କ ପ୍ରସ୍ଥାନ)

Image

 

[ଦ୍ୱିତୀୟ ଦୃଶ୍ୟ]

 

(ରଣଚଣ୍ଡୀଙ୍କର ଗୀତ)

[କାହିଁକି ଖଣ୍ଡିଆ ମୁହଁ ଏତେ – ବୃତ୍ତେ]

 

ରଟ ରଟ ରଟ ଚୋବାଅ ଚୋବାଅ ଘୋଡ଼ାର ହାଡ଼କୁ । ମଟ ମଟ ମଟ ରକଟ ରକଟ ମଣିଷ ଗୋଡ଼କୁ ।ପଦ। ଝଟ ଝଟ ଝଟ ଓଟାରି ଆଣ, ବାଛି ସଜ ମଡ଼ା ଟାଣ ଟାଣ । ଚଟ ଚଟ ଚଟ ଚକଟ ଚକଟ ପଚା ନାଡ଼କୁ ।୧। ପିଟ ପିଟ ପିଟ ହାତୀମୁଣ୍ଡ, ଖପରରେ କରି ଖଣ୍ଡ ଖଣ୍ଡ । ଚାଟ ଚାଟ ଚାଟ ମଗଜ ଜୋରେ ସୁଡ଼ୁକୁ ସୁଡ଼ୁକୁ ।୨। ହଟ ହଟ ହଟ ପଛକୁ ପହଣ୍ଡେ ମଟ ମଟ ମଟ ଅନାଇଁ ଚାଣ୍ଡେ-। ଅଟ ଅଟ ଅଟ ଅଟ୍ଟହାସେ ଥରାଇ ଘାଡ଼କୁ । ସରିଗଲା ଆଠ ଦିବସ ରଣ, ପଡ଼ୁଛନ୍ତି ମଢ଼ା ପଣକୁ ପଣ । ବଇଆ ବୋଲଇ ବଣା ହୋଇ ସହି ଯାଅନା ସାଡ଼କୁ ।୪।

 

(ଶବ ଖଣ୍ଡେ ଖଣ୍ଡେ ଘେନି ପ୍ରସ୍ଥାନ)

 

 

 

(କୃଷ୍ଣାର୍ଜ୍ଜୁନଙ୍କ ପ୍ରବେଶ)

ଅର୍ଜ୍ଜୁନ

ଯାଦବ ଈଶ୍ୱର !

 

 

ଧିକ ମୋ ଜୀବନ, ଧିକ ବୀରପଣ ମୋର

 

 

ନ ପାରିଲି ରଖି ମାନ ପାଣ୍ଡବପକ୍ଷର

 

 

ନିତି ଦଶସସ୍ର ସେନା ଆଖି-ପିଛଡ଼ାକେ

 

 

ନାଶ କଲେ ଶାନ୍ତନୁ ତନୁଜ ।

 

 

ଏହିପରି ଯୁଦ୍ଧ ଆସି ହେଲା ନବଦିନ

 

 

କିନ୍ତୁ ଆଜି ଓପ୍ରୋଧ ତେଜି ସମର କରନ୍ତି ଗାଙ୍ଗେୟ

 

 

କି କରିବା କହ ଦୟାମୟ ?

କୃଷ୍ଣ

ରେ କିରୀଟୀ !

 

 

ନିସ୍ତେଜ ନ ହୁଅ ଏତେବେଳେ,

 

 

ମୃତ୍ୟୁକାଳେ ଶୋଇଲେ କି ଛାଡ଼ିଦେବ ଯମ ?

 

 

ଓହୋଃ, ଏ କି ଭୟଙ୍କର ମୂର୍ତ୍ତି ଧରିଛନ୍ତି ଭୀଷ୍ମ

 

 

ଏକାବେଳେ ନୀଳବାଣ ଭୁଜବାଣ ବେନି

 

 

ବସାଇ ଗୁଣରେ କରୁଛନ୍ତି ଆମଞ୍ଚନ ।

 

 

ସେ ଶର ତେଜେ ଆଲୋକ ଦିଶେ ଚାରିଦିଗେ ।

 

 

ଦେଖ ତ୍ରାସେ ବେନି ବଳ, ଯାଉଛନ୍ତି ହଟି

 

 

ତୋର ନନ୍ଦିଘୋଷ ରକ୍ଷାକର ବୀର ତୁହି ।

ଅର୍ଜ୍ଜୁନ

ହେ ଶ୍ରୀହରି ! କରି ନ ପାରିବି ପ୍ରତିଅସ୍ତ୍ର ଏ ଅସ୍ତ୍ରକୁ;

 

 

ରଖିଲେ ରଖ ମାରିଲେ ମାର ପାଣ୍ଡବଙ୍କୁ ।

କୃଷ୍ଣ

(ସ୍ୱଗତ) କି କରିବି, ଭୟରେ ଅସ୍ଥିର ଧନଞ୍ଜୟ

 

 

କମ୍ପେ ଦେହ ନ ଧରେ ଗାଣ୍ଡୀବ

 

 

ଏ ବେଳେ ମୁଁ ଅସ୍ତ୍ର ନିଜେ ନ କଲେ ଧାରଣ

 

 

ନ ରହିବ ପାଣ୍ଡବଙ୍କ ଟାଣ ।

 

 

ତିନି ଯୋଜନ ଅନ୍ତରେ ଛନ୍ତି ବେନି ଥାଟ

 

 

ଏ ବେଳେ ଉଠିବି ଭୀଷ୍ମରଥେ;

 

 

ବାଣ ସମ୍ୱରଣ ଯେବେ ନ କରେ ଗାଙ୍ଗେୟ

 

 

ନିଶ୍ଚେ ଚକ୍ରେ ଛେଦିବି ତା ଶିର । (ରଣବାଦ୍ୟ- କୃଷ୍ଣ ଭୀଷ୍ମରଥେ ଉଠି)

 

 

ହେ ଶାନ୍ତନୁସୁତ ! ଏଡ଼େ ଅମାନୁଷିକ କର୍ମ ନ କର କଦାପି;

 

 

ସଂହର ତୋ ନୀଳବାଣ ଭୁଜବାଣ ବେଗେ,

 

 

ତା ନ ହେଲେ ଚକ୍ରେ ଶିର ହାଣିବି ତୋହରି ।

ଭୀଷ୍ମ

(ଅସ୍ତ୍ର ତଳେ ଫିଙ୍ଗି)

 

 

ହେ ରାଧାରମଣ !

 

 

ନ କରିବି ରଣ ତୂଣେ ରହିଲା ଏ ବାଣ

 

 

ଯେବେ ତୋ ପାଣ୍ଡବେ ,ଏଡ଼େ ଦୟା ମାୟାଧର,

 

 

ଶୁଣ ତେବେ କହୁଅଛି ଯାହା ।

 

(ଗୀତ)

[ଆଜି ଚଣ୍ଡାଳ ଗାଳିଦେବ – ବୃତ୍ତେ]

 

ରଖ ଥରେ ଭୃତ୍ୟର ଆପତ୍ତି ରମାପତି ହେ ।ପଦ। ମହାଚକ୍ର ଚକ୍ର କଣ୍ଠେ । ପ୍ରହାର ମୋହର ଝଟେ-। ହେବ ତେବେ ବଇକୁଣ୍ଠଗତି ।୧। ଚିନ୍ତାମଣି ଚିନ୍ତାସ୍ରୋତେ । କିପାଇଁ ଭସାଅ ଏଥେଁ । ଜାଣିଲି ପାଣ୍ଡବେ ତୋ ସମ୍ପତ୍ତି ।୨। ଯେବେ ଚିତ୍ତେ ଅଛି ଦୟା । ଦାସରେ ନ କରି ମାୟା । ମାୟାଧର ଭାଷ ଏ କି ରୀତି ।୩। ହେ ନକ୍ରନାଶନ ଚକ୍ର । ସଂହାରିଲ କିପାଁ ଶକ୍ର । କୋପେ ଆସି, ବଇର ବିନତି ।୪।

 

କୃଷ୍ଣ

ମହାଜ୍ଞାନୀ ତୁମ୍ଭେ ଭୀଷ୍ମଦେବ !

 

 

ବଇକୁଣ୍ଠେ; ଯିବ ମମ ସଙ୍ଗେ ।

ଭୀଷ୍ମ

ହରି ! କିପାଁ କୃପା ଏତେ ଏ ଦାସକୁ

 

 

ସେବି ନାହିଁ ଦିନେ ସେ ରଙ୍ଗପଦଯୁଗେ ।

କୃଷ୍ଣ

ତୁମ୍ଭଙ୍କୁ ଚିହ୍ନିବେ କାହୁଁ ପାପିଷ୍ଠ କୌରବେ ।

ଭୀଷ୍ମ

ହେ କର୍ମାକର୍ମବାତା ! କି କର୍ମ କରିବି କହ ଏବେ ?

କୃଷ୍ଣ

ମୋ ପାଞ୍ଚଆତ୍ମା ପାଣ୍ଡବେ ନ ହୁଅ ବିବାଦୀ ।

ଭୀଷ୍ମ

ଯେବେ ଏହା ବୋଇଲ ହେ ଦେବ !

 

 

କାଲି ଅର୍ଜ୍ଜୁନେ ଘେନି ପ୍ରାତେଃ ମୋ ପାଶକୁ ଯିବ

 

 

ମୋ ମୃତ୍ୟୁଭେଦ ବତାଇଦେବି ଦୟାନିଧି !

 

 

ଆଜହୁଁ ସଂଗ୍ରାମ ନାଥ, ହେଲା ମୋର ଶେଷ

 

 

ଆଜି ଦଶସସ୍ର ରଥୀ କରିଛି ବିନାଶ,

 

 

ଏଥକୁ କୋପ ମୋ ପରେ ନ ବହିବ ହରି !

କୃଷ୍ଣ

ତେବେ ମୁଁ ଯାଉଛି ପାର୍ଥରଥକୁ ଏଠାରୁ ।

ଭୀଷ୍ମ

ମୋ ରଥ ତେଜିବ ନାହିଁ ହେ ଜଗତଗୁରୁ !

 

 

(କୃଷ୍ଣଙ୍କ ଅର୍ଜ୍ଜୁନ ରଥେ ପ୍ରବେଶ)

କୃଷ୍ଣ

ଚାଲ ପାର୍ଥ ! ହାଇଲାଣି କାର୍ଯ୍ୟ ଆଜି ଶେଷ

 

 

ହେଉ ସମର ରହିତ

 

 

ଫେରିଲେଣି ସହଦେବ, ଘେନି ପାଣ୍ଡବବାହିନୀ ତବ ପାଶେ ।

ସହଦେବ

(ପ୍ରବେଶି) ହେ ଶ୍ରୀହରି !

 

 

ଚାଲ ବାସେ ବିଳମ୍ବ କି ହେତୁ ?

କୃଷ୍ଣ

କହ ମନ୍ତ୍ରୀ, ଆଜି ଭୀଷ୍ମ କହିଗଲେ ମୋତେ

 

 

ପ୍ରାତେଃ ବତାଇବେ ତାହାଙ୍କର ମୃତ୍ୟୁଭେଦ ।

ସହଦେବ

ନିଶ୍ଚୟ ତୁମ୍ଭଙ୍କୁ ଭୀଷ୍ମ ଭଣ୍ଡିଲେ ଗୋବିନ୍ଦ !

 

 

ମୋ କଥା ମାନି ଅର୍ଜ୍ଜୁନ ଯାନ୍ତୁ ବେଗକରି

 

 

ଅନର୍ଘ ମଣି-ମୁକୁଟ ଦୁର୍ଯ୍ୟୋଧନଠାରୁ

 

 

ମାଗି ଘେନନ୍ତୁ ସେ ଦାନ ।

କୃଷ୍ଣ

ମନ୍ତ୍ରୀ ! ନ ମାନେ ମୋ ମନ ଏ କଥାରେ

 

 

ନ ଦେବ ମଣି-ମୁକୁଟ କେଭେ କୁରୁମଣି ।

ଅର୍ଜ୍ଜୁନ

ହେ ମୋହନ ! କର ନାହିଁ ସହଦେବ ବଚନକୁ ତୁଚ୍ଛ ।

 

 

ଅଛି ମୋର ଦାବୀ ପ୍ରାପ୍ୟବର

 

 

ସେହି ଦୁର୍ଯ୍ୟୋଧନଠାରେ;

 

 

ଏବେ ତାହା ଶୁଣ ନାରାୟଣ !

 

(ଗୀତ)

[ଦଇବ ରେ ବୃତ୍ତେ]

 

କେଶବ ହେ, ତୋଷେ ଶୁଣ ସେ କାରଣ । ଘୋଷଯାତ୍ରାକାଳେ ଯା’ ବୋଲିଛି କୁରୁଗାଣ ।ପଦ। ରୋଷେ ବାସବନନ୍ଦନ । ଆସି ତହିଁ ଚିତ୍ରସେନ । ଦୁର୍ଯ୍ୟେଧନ ସହିତ ବାନ୍ଧିଣ ନାରିଗଣ ।୧। ଶୂନ୍ୟେ ରଥେ ଯା’ନ୍ତେ ନେଇ । ଡାକିଲା ରଖ ବିଜୟୀ । ରୁନ୍ଧିଲି ପଥ ସତ୍ୱରେ ବିନ୍ଧି କୋଟି ବାଣ ।୨। ସେ ବନ୍ଧନୁ କରି ମୁକ୍ତ । ଆଣିଲାବେଳେ ହେ ନାଥ ! ଫିଙ୍ଗିଲା ଗନ୍ଧର୍ବ ଗଗନରୁ ଦେଇ ପ୍ରାଣ ।୩। ଶରେ ସନ୍ଧିଣ ପାବଚ୍ଛ । ବାନ୍ଧିଲି ଏ ନୋହେ ମିଛ । ସେ ପାବଚ୍ଛେ ଗଡ଼ିବାରୁ ନୋହିଲା ମରଣ ।୪। ଭୂତଳେ ପଡ଼ିବା କାଳେ । ବର ଯାଚିଥିଲା ବଳେ । ସେ ବର ଅଛି ତା’ଠାରେ ବାରଣତାରଣ ।୫। ସେ ବରେ ମୁକୁଟମଣି । ମାଗିବି ହେ ନୀଳମଣି ! ପାଣି ଭଣି, ଦେବ ନିଶ୍ଚେଁ ହେଲେ ତା ସ୍ମରଣ ।୬।

 

କୃଷ୍ଣ

ସାଧୁ ସାଧୁ, ସାଧୁ ରେ ଅର୍ଜ୍ଜୁନ !

 

 

ଚାଲ ରାତ୍ରେ ତିନିଜଣ ଯିବା ହସ୍ତିନାକୁ

 

 

ଦୁର୍ଯ୍ୟୋଧନଠାରୁ ଅନର୍ଘ ମଣିମୁକଟ ଆଣିବା ।      

 

 

(ପ୍ରସ୍ଥାନ)

Image

 

[ତୃତୀୟ ଦୃଶ୍ୟ]

(ଚଣ୍ଡୀମନ୍ଦିର; ଭୀଷ୍ମ ଦେବୀଗୃହେ ବସି ସ୍ତବପାଠ)

 

 

 

କଂ କଂ କଂ କଙ୍କାଳି କାଳିକା ମୁଣ୍ଡମାଳିକା ।

 

 

ଖଂ ଖଂ ଖଂ ଖଡ଼୍ଗଖର୍ପରଧାରିଣୀ ଗିରିବାଳିକା ।୧।

 

 

ଗଂ ଗଂ ଗଂ ଗଙ୍ଗାଧର ରଙ୍ଗକର ତୂଳିକା ।

 

 

ଘଂ ଘଂ ଘଂ ଘଣ୍ଟାନିନାଦିନୀ ଘୋର ଦୈତ୍ୟଦଳିକା ।୨।

 

 

ଡ଼ଂ ଡ଼ଂ ଡ଼ଂ ଅନ୍ନପୂର୍ଣ୍ଣା ଅପର୍ଣ୍ଣା ଅମ୍ବାଳିକା ।

 

 

ଚଂ ଚଂ ଚଂ ଚନ୍ଦ୍ରଚୂଳ–ହୃଦୟ-କୁମୁଦକଳିକା ।୩।

 

 

ଛଂ ଛଂ ଛଂ ଛନ୍ଦରୂପା ଛଦ୍ମବେଶା ଛଳିକା ।

 

 

ଜଂ ଜଂ ଜଂ ଜଗତତାରିଣୀ ଜଗତ- ଜଙ୍ଗମପାଳିକା ।୪।

 

 

ଝଂ ଝଂ ଝଂ ଝାଡ଼ବିନୋଦିନୀ ଚାମୁଣ୍ଡାକୁଳମେଳିକା ।

 

 

ଞଂ ଞଂ ଞଂ ଅନନ୍ତ ଅମ୍ବରା ବଗଳାମୁଖୀ ବିହ୍ୱଳିକା ।୫।

 

 

ଟଂ ଟଂ ଟଂ ଟମକବାଦିନୀ ସୁରସରସ ସାଳିକା

 

 

ଠଂ ଠଂ ଠଂ ଠାଠିକବଦନା ବଇଷ୍ଣବ କଷ୍ଟଟାଳିକା ।୬।

ଭୀଷ୍ମ

ମା’ ଜଗଦମ୍ବା ! ଜଗଦ୍ଧାତ୍ରୀ ତ୍ରିନୟନା !

 

 

ଏ ବିପଦରେ ସହାୟ ହୁଅ ।

 

 

(କୃଷ୍ଣାର୍ଜ୍ଜୁନ ଏକାଳେ ପ୍ରବେଶ, କୃଷ୍ଣ ନାକରେ ସୂତା ଦେଇ ଛିଙ୍କିବା ଓ ଅର୍ଜ୍ଜୁନ ମୁଣ୍ଡେ ମୁକୁଟ ଘେନି ପ୍ରଣାମ କରିବା)

 

 

(୧ମ ଛିଙ୍କ) ବାବା ରେ ! ଯଶଶ୍ରୀ ବର୍ଦ୍ଧିତ ହେଉ ।

 

 

(୨ୟ ଛିଙ୍କ) ବାବୁ, ଶତ୍ରୁ ନାଶି ପଞ୍ଚମକଟକରେ ରାଜା ହୁଅ ।

 

 

(୩ୟ ଛିଙ୍କ) ବତ୍ସ ! ତୋର ପରିବାରମାନଙ୍କର ମଙ୍ଗଳ ହେଉ ।

 

 

(ଅର୍ଜ୍ଜୁନ ସହ କୃଷ୍ଣ ଗୃହମଧ୍ୟେ ପ୍ରବେଶ)

 

 

ମାୟାଧର ! ତୁ ଏଡ଼େ ମାୟାବୀ ? ମୁଁ ଅର୍ଜ୍ଜୁନକୁ ଦେଖି ଦୁର୍ଯ୍ୟୋଧନ ମନେକର କଲ୍ୟାଣ କରୁଛି-ଯେହେତୁ ତାର ମୁକୁଟ ମୋତେ ଦିଶିଗଲା ।

କୃଷ୍ଣ

ଗଙ୍ଗାସୁତ ! ମହତବଚନ କେବେ କି ଟଳିଛି;

 

 

ତା କେବେ ନୁହେଁ ।

ଭୀଷ୍ମ

କୃଷ୍ଣ ! ମୋର ବଚନ କେଭେ ବ୍ୟର୍ଥ ହେବ ନାହିଁ; ଆଉ ଦୁର୍ଯ୍ୟୋଧନର ମଙ୍ଗଳ ନାହିଁ । ଏହି ଶେଷ ଯୁଦ୍ଧ । ଚାଲ, ମୋର ମରଣଭେଦ ତୁମ୍ଭଙ୍କୁ କହିଦେଇ ନିଶ୍ଚିନ୍ତ ହେବି ।

 

 

(କୃଷ୍ଣାର୍ଜ୍ଜୁନସହ ଭୀଷ୍ମଙ୍କର ପ୍ରସ୍ଥାନ)

ଦୁର୍ଯ୍ୟୋଧନ

କାହାନ୍ତି ଭୀଷ୍ମଦେବ ? ମୋତେ ଯେ ନାରଦ କହିଗଲେ, ଆଜି ପିତାମହଙ୍କୁ ମନ୍ଦଦଶା ପଡ଼ିବ । କଅଣ କରିବି ? କେମନ୍ତେ କେଉଁଠାରେ ତାଙ୍କର ସାକ୍ଷାତ ହେବ । ନା, ଏହି ଯେ ଏହିଆଡ଼ୁ ଆସୁଛନ୍ତି ।

 

 

(ଭୀଷ୍ମଙ୍କ ପ୍ରବେଶ)

 

 

ପିତଃ, ଆଜି ମୋର କଥା ମାନି ରଣକୁ ଯାଅନାହିଁ – ଗଲେ ନିଶ୍ଚୟ କ୍ଷତି ହେବ ।

ଭୀଷ୍ମ

ବତ୍ସ ଦୁର୍ଯ୍ୟୋଧନ, କାହିଁକି ବୃଥା ଆଶଙ୍କା କରୁଛୁ ?

ଦୁର୍ଯ୍ୟୋଧନ

ପିତଃ, ତେବେ ମୋ କଥା ମାନିଲ ନାହିଁ, ହେଉ ଏବେ ଚାଲନ୍ତୁ ।

 

 

(ଉଭୟର ପ୍ରସ୍ଥାନ)

Image

 

ତୃତୀୟ ଅଙ୍କ

[ଚତୁର୍ଥ ଦଶ୍ୟ]

(ରଣଭୂମି । ସହଦେବ, ଯୁଧିଷ୍ଠିର, କୃଷ୍ଣାର୍ଜ୍ଜୁନ ଓ ଶିଖଣ୍ଡୀର ପ୍ରବେଶ)

 

କୃଷ୍ଣ

ସହଦେବ !

 

 

ବେଗେ ତୁ ମୁକୁଟ ବାନ୍ଧ ଶିଖଣ୍ଡୀ ଶିରରେ;

 

 

ଆମ୍ଭର ଥାଟେ ସେ ହେଲା ଆଜି ସେନାପତି ।

 

 

ସାତ୍ୟକି ସାରଥି ହୋଇ ବାହୁ ତାର ରଥ ।

ସହଦେବ

ରାଧାନାଥ !

 

 

ତବାଦେଶେ ଶିଖଣ୍ଡୀକି କଲି ସେନାପତି;

 

 

ଘୋର ଯୁଦ୍ଧକାଳେ ଭୀଷ୍ମ ସମ୍ମୁଖେ ତା ରଥ

 

 

ନେଇ କରାଇବି ଉଭା ।

ଶିଖଣ୍ଡୀ

ହେ ସାତ୍ୟକି ! ଶୀଘ୍ର ମୋର ଧର ଅଶ୍ୱରଜ୍ଜୁ ।

 

 

ଏହି ଦେଖ ଆସେ ଶଲ୍ୟରଥ ମୋର ପାଶେ,

 

 

ବେଗେ ଚାଲ କରିବି ସମର ତାର ଚୂରିବଇଁ ଦର୍ପ ।

ସାତ୍ୟକି

ବେଗେ ବେଗେ ଆସ ହେ ଶିଖଣ୍ଡୀ !

 

 

ରଥ ମଣ୍ଡିଅଛି, ବସ ତହିଁର ଉପରେ ।

 

 

(ଭୀଷ୍ମଙ୍କର ପ୍ରବେଶ, ସାତ୍ୟକି ଓ ଶିଖଣ୍ଡୀର ପ୍ରସ୍ଥାନ)

ଭୀଷ୍ମ

ରେ କିରୀଟୀ !

 

 

ଆଜି ତୋର ରକ୍ଷା ନାହିଁ ଭୀଷ୍ମ ଶରମୁଖୁଁ ।

ଅର୍ଜ୍ଜୁନ

ପିତାମହ ! ଭୀତ ନୁହେଁ ପୌତ୍ର ତବ ବାଣେ

 

 

ଆସ, ସୁଖେ ମାତ ମହାରଣେ ।

 

 

(ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)

ନେପଥ୍ୟେ

ରେ ଅର୍ଜ୍ଜୁନ ! ଦେଖ ଭୀଷ୍ମ ବିନ୍ଧେ ରୁଦ୍ରଶର;

 

 

ପାରିଲେ ତୁ ପ୍ରତିଅସ୍ତ୍ର କର ।

ଭୀଷ୍ମ

-

(ପ୍ରବେଶି) ରେ ଗାଣ୍ଡୀବୀ,

 

 

ଭୈରବାସ୍ତ୍ର ସମ୍ଭାଳ ମୋହର ।

 

 

ଦେଖ ଗଗନ ଘୋଟିଣ ଯାଉଅଛି ବାଣ

 

 

ଥାଟ ସହିତେ ଏକ୍ଷଣି ଦହିବ ତୋ ରଥ ।

ନେପଥ୍ୟେ

କୃଷ୍ଣ ଉତ୍ତର ନ ଦେଇ ପାର୍ଥ ରହିଲୁ ମଉନେ;

 

 

ପାତାଳକୁ ନନ୍ଦିଘୋଷ ଚାପ ହନୁମାନ !

ଭୀଷ୍ମ

ଓଃ, ଫେରିଆସେ କିପାଁ ରୁଦ୍ରଶର ?

 

 

ଜଣାଗଲା ଧ୍ୱଜେ ଥାଇଁ ହନୁ ରଥ ଚାପିଲା ପାତାଳେ ।

ଅର୍ଜ୍ଜୁନ

(ପ୍ରବେଶି) ପିତାମହ ! ସମ୍ଭାଳ ଏ ମୋର ଅସ୍ତ୍ର ଗୋଟି ।

ଭୀଷ୍ମ

ରେ ବିଜୟୀ ! ଜାଣିଲି ମୁଁ ତୁମ୍ଭ କଉଶଳ ।

(ଗୀତ)

[ଆରେ ରେ ଅବୋଧ - ବୃତ୍ତେ]

ଜାଣିଲି ଅର୍ଜ୍ଜୁନ, ରହିଥିଲୁ ଲୁଚି ବଞ୍ଚିବା ଆଶାରେ ତୁହି ରେ । ଚାପିଲା ପାତାଳେ କପିଧ୍ୱଜ ବଳେ ଏ ବେଳେ ବୁଝିଲି ମୁହିଁ ରେ ।ପଦ। ମହା କଉଶଳୀ ହଳୀର ଅନୁଜ ତୋ ରଥେ ସାରଥି ହୋଇ ରେ । ବାର ବାର ମୋର ଶରମୁଖୁଁ ପଣ୍ଡୁକୁମାରଙ୍କୁ ରଖେ ସେହି ରେ ।୧। ତା ନ ହେଲେ କି ରେ ଜିଣନ୍ତ କୌରବେ ଗୌରବଧ୍ୱଜା ଉଡ଼ାଇ ରେ । ପଢ଼ାଉଛି ପାଠ ସେ ଲମ୍ପଟରାଟ ସଦା ତୋ ନିକଟେ ଥାଇଁ ରେ ।୨। ଏ ଭୂଷଣ୍ଡି ଅସ୍ତ୍ରେ ହେବ ବେନି ଖଣ୍ଡ ତୋ ଗଣ୍ଡିମୁଣ୍ଡ ବିଜୟୀ ରେ । ଚଣ୍ଡୀମନ୍ତ୍ର ଜପି ମଣ୍ଡିଛି କାମୁକ ଭାଷଇ ପଣ୍ଡିତ ବଇ ରେ ।୩।

 

ଅର୍ଜ୍ଜୁନ

ପିତାମହ ! କିପାଁ ବୃଥା ଦର୍ପ କର ଜୀବ ଯିବାବେଳେ ?

 

 

ଏହି ହାବୋଡ଼ାସ୍ତ୍ରେ ପଡ଼ିବ ଉତ୍ତାନେ ।

 

 

(ରଣବାଦ୍ୟ, ଭୀଷ୍ମଙ୍କ ହୃଦେ ବାଣ ବାଜନ୍ତେ ଭୀଷ୍ମ ଉତ୍ତାନେ ପତନ । ଏକାଳେ ଶିଖଣ୍ଡୀର ଭୀଷ୍ମଙ୍କୁ ଶର ପ୍ରୟୋଗ ।)

ଭୀଷ୍ମ

ରେ ନପୁଂସକ ଶିଖଣ୍ଡୀ !

 

 

ରେ ପୁରୁଷବେଶୀ ରମଣି !

 

 

ଜାଣିଲି ଜାଣିଲି କପଟୀ କୃଷ୍ଣର କୌଶଳ ।

 

 

ଅପାତ୍ରିକ ମୁଖକୁ ନିରେଖି

 

 

ଭୀଷ୍ମ କେଭେ ନ ଧରିବ ଧନୁ

 

 

ତୋତେ ଦେଖି ତେଜ୍ୟାଗଲି ଏ ମହା କାର୍ମୁକ ।

 

 

ଗଲା ଗଲା ଗଲା-

 

 

ଆଠ ସହସ୍ର ବରଷ ସଞ୍ଚିତ ଯେ ରେତ

 

 

ଲୋମେ ଲୋମେ ହୋଇଲା ସ୍ଖଳନ;

 

 

ହୃଦୟ ଚରଣ କର ଉପସ୍ଥ ଅଙ୍ଗୁଷ୍ଠି

 

 

ଫିଟିଗଲା ବେଗେ ଶିଶୁମୁନା

 

 

ଘୋଟିବାରୁ ମନସିଜ ଦେହେଁ ।

ନେପଥ୍ୟେ

ଗଲା ଗଲା – କୌରବଙ୍କ ଆଶାଭରସା ବୁଡ଼ିଲା ବୁଡ଼ିଲା ।

 

 

(ବେଗେ ଦୁର୍ଯ୍ୟୋଧନର ପ୍ରବେଶ; ଭୁରିଶ୍ରବା କର୍ଣ୍ଣ ଶକୁନି ତତ୍ପରେ ଉପସ୍ଥିତ)

ଦୁର୍ଯ୍ୟେଧନ

ପିତା ପିତା ! ଏ କି କଥା କର ଏତେବେଳେ

 

 

ଅସ୍ତ୍ର ତେଜି ମଉନେ ରହିଛି କିପାଁ ବସି ?

ଭୀଷ୍ମ

ମୋ ଅବସ୍ଥା ଦେଖ ଦୁର୍ଯ୍ୟୋଧନ !

 

 

ଶିଖଣ୍ଡୀ ହେତୁ ଏ ଦଶା ମୋର,

 

 

ସର୍ବାଙ୍ଗରୁ ଝରେ ରେତଧାର ।

ସମସ୍ତେ

ହାୟ ହାୟ, କି ହେଲା କି ହେଲା ପିତା !

ଦୁର୍ଯ୍ୟୋଧନ

(କୋଳେ ଭୀଷ୍ମଙ୍କୁ ଆଉଜାଇ)

 

 

ପିତାମହ ! କୁହ ଏବେ କାହା ଭରସାରେ

 

 

କରିବି ସମର ମୁହିଁ ପାଣ୍ଡବଙ୍କ ତୁଲେ ?

 

(ଗୀତ)

[ଭାଇ ଯିବୁ କେଣିକି – ବୃତ୍ତେ]

 

କହ କଲି କି ଦୋଷ କଲ ନିରାଶ ଏତେବେଳେ ପିତା । ବିଷ ଦିଅ ତୁଣ୍ଡରେ ଆଣି ଚାଣ୍ଡରେ ଉଡ଼ିଯାଉ ଚେତା ।ପଦ। ଜଣା ଥିଲେ ଏମାନ ଆଗରୁ ସାବଧାନ । ହୋଇଥାନ୍ତି ଭବରେ କିପାଁ କ୍ଷୋଭରେ ପୋତିଥାନ୍ତି ମଥା । ଘାଣ୍ଟିଦିଏ ପରାଣ, ନୋହୁଛି ଯା ମରଣ । ତଣ୍ଟି କାଟିଲା ବିହି,କାହାକୁ ନେଇ ହେବି ରଣେ ଜିତା । ତବ ଧନୁଟଙ୍କାର, ଅସ୍ତ୍ରଙ୍କର ଝଙ୍କାର । ଶୁଣି ଶଙ୍କର ଶଙ୍କା କରନ୍ତି ଥକା ହେବେ ସ୍ୱୟଂ ଧାତା । ଏହି କୁରୁସାଗରେ, ଫିଙ୍ଗି ଦେଇ ଆଗରେ । ରଙ୍ଗ ଦେଖିବ ବୋଲି ଯାଉଛ ଚାଲି ତୁଟାଇ ମମତା । ଆହେ ବୀରକେଶରୀ, ହୋଇଲ ଏତେ ସରି । ଛାର ଶୂକର କରେ ତିନିଲୋକରେ ବଇର କବିତା ।

 

ଭୁରିଶ୍ରବା

(ଭୀଷ୍ମଙ୍କୁ କୋଳେ ଧରି)

 

 

ହେ ଗାଙ୍ଗେୟ !

 

 

ଯେବେ ଏହା ହେବ ବୋଲି ଜାଣିଥିଲ ଆଗୁଁ

 

 

କିପାଇଁ ପ୍ରତିଜ୍ଞା କଲ କୌରବଙ୍କ ଥାଟେ ?

 

 

କହିଥିଲେ ଶିଖଣ୍ଡୀ ତୁମ୍ଭର ଶତ୍ରୁ ବୋଲି,

 

 

ତୃଣ ସମ କାଟିଥାନ୍ତି ତା ମାଂସକୁ ରଣେ ।

 

 

ଭୀଷ୍ମ-ଶୁଣ ଭୁରିଶ୍ରବା !

 

 

ଅଟଇ ଶିଖଣ୍ଡୀ ଦେଖ ସ୍ୱଭାବେ ରମଣୀ

 

 

ସ୍ତ୍ରୀହତ୍ୟା ପାପକୁ ଡରି ନ କଲି ବିନାଶ

 

 

ତାକୁ ଏହି କୁରୁରଣେ ।

 

 

ରେ ମାନଗୋବିନ୍ଦ ! ମୋର ଅଟେ ଇଚ୍ଛାମୃତ୍ୟୁ

 

 

ଭାଗ ଦିଅ ପାଣ୍ଡବେ ତୁ ନ କର ସମର ।

ଦୁର୍ଯ୍ୟେଧନ

ଜୀବ ଥାଉଁ ସୂଚୀମୁନେ ନ ଦେବି ଧରଣୀ, ପଣ ମୋର ।

ଭୀଷ୍ମ

ଦୁର୍ଯ୍ୟୋଧନ ! ଶୁଣ ଏକ କଥା ମୋର ତୁହି ।

 

(ଗୀତ)

[ବେଗେ ଯାଅ ଯାଅ ଲଙ୍କାପୁର – ବୃତ୍ତେ]

 

ଅତିବେଗେ କୁରୁପତି ଯାଅ ରେ ଧନ । ଦେଖିବି ସମର ବାଞ୍ଛା ଚିତ୍ତେ ମୋର ଏଥେଁ ଶଯ୍ୟା କରିଦିଅ ରେ ।ପଦ। କରମର ଲେଖା ଖଣ୍ଡି କେ ପାରିବ ଭରମେ ନ ତେଜ ଲୁହ । ମରମ ଯନ୍ତ୍ରଣା ହେବ ନିଶ୍ଚେଁ ଊଣା ଦମ୍ଭ କର ତୋ ହୃଦୟ ରେ ।। ଚରମଦଶାରେ ପଡ଼ିଛି ମୁଁ ବାପ, ଅଙ୍ଗ ହେଉଛି ଅଥୟ । ଗଳି ମହାରେତ ବଳିପଡ଼େ କଷ୍ଟ ଇଷ୍ଟ ମୁଁ ତୋ ପିତାମହ ରେ ।। କିମ୍ପା କରୁ ଡେରି ଆରେ ଦଣ୍ଡଧାରି, ବୃଥା ଲଣ୍ଡଭଣ୍ଡ ନୁହଁ । ଶ୍ରମ ନୋହୁ ପଣ୍ଡ ଭୁଞ୍ଜ ଧରାଖଣ୍ଡ,ବଇ ବୋଲେ, ସବୁ ସହ ରେ ।

 

ଦୁର୍ଯ୍ୟୋଧନ

ଦୁଃଶାସନ ! ଯାଇଁ ଆଣ ତୂଳିକା ସୁପାତି

 

 

ତାଳେକ ଉତ୍ସର୍ଗେ ଦିଅ ବିଛାଇଣ ଶେଯ ।

 

 

(ଭୀଷ୍ମଙ୍କୁ ତୁଳାଶେଯରେ ଶୁଆନ୍ତେ)

ଭୀଷ୍ମ

ଯାଅ ସର୍ବେ, କିମ୍ପା କଷ୍ଟ ପାଇବ ଏଠାବେ ?

 

 

ଏଥି ହୁଅ ନାହିଁ ଛିଡ଼ା ।

ଦୁର୍ଯ୍ୟୋଧନ

ହାୟ ହାୟ ! ଫିଙ୍ଗିଯାଉଛି ମୁଁ ଆଜି ପରଶମଣିକି ।

 

 

(କୁରୁଗଣଙ୍କର ପ୍ରସ୍ଥାନ, କୃଷ୍ଣ ସହ ପଞ୍ଚପାଣ୍ଡବଙ୍କର ପ୍ରବେଶ)

ଯୁଧିଷ୍ଠିର

ପିତା ! ପିତା ! ଏହା ପୁଣି ଅବଶେଷେ ଥିଲା ଭୋଗିବାକୁ ?

ଭୀଷ୍ମ

କୃଷ୍ଣ ହେ ! ହେ କୃଷ୍ଣ ! କରିବାକୁ ନମସ୍କାର ତୋତେ

 

 

ଶକ୍ତି ନାହିଁ ଭୀଷ୍ମର ଶରୀରେ ।

କୃଷ୍ଣ

ବର ମାଗ ପିତାମହ ! ପୂରାଇବି ବାଞ୍ଛା ।

ଭୀଷ୍ମ

ଆନ ବରେ କାର୍ଯ୍ୟ ମୋର ନାହିଁ ନାରାୟଣ !

 

 

ଅପୁତ୍ରକ ଦୋଷୁ ଯେହ୍ନେ ହୋଇବି ଉଦ୍ଧାର ।

କୃଷ୍ଣ

ହେ ଗଙ୍ଗାନନ୍ଦନ !

 

 

ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ବ୍ରତ

 

 

ସେହି ତୋର ନାମେ ଖ୍ୟାତ ହୋଇବ ଜଗତେ;

ଭୀଷ୍ମ

ଏକାଦଶୀ ବୋଲି ବୋଲନ୍ତୁ ସମସ୍ତେ ।

ଭୀଷ୍ମ

ରେ ଅର୍ଜ୍ଜୁନ ! ରଖ ଏତେବେଳେ ତୋର ଅଜାର ଗୁହାରି

 

(ଗୀତ)

[ଦିଅ ଦିଅ ନନ୍ଦରାଣୀ ଗୋ – ବୃତ୍ତେ]

 

କରିଦିଅ ସବ୍ୟସାଚୀରେ ! ସମରଭୂମିରେ ତୁ ଶରେ ଶେଯ । ଶରର ମୁଚୁଳି ଶୀରପରେ କର ରହିବ ଯେସନେ ଏ ଦୁଇଭୁଜ ।ପଦ। ଶତ ଶତ ମୃତ ଶରୀର ଗଡ଼ିବ ଏ ସ୍ଥାନେ ଇନ୍ଦ୍ର-ଆତ୍ମଜ । ଶୋଣିତର ନଦୀ ସଜୋରେ ବହିବ ଭାସିବେ ତହିଁରେ ତୁରଙ୍ଗ ଗଜ ।୧। ରକ୍ତ ପିଇ ମତ୍ତ ହୋଇଣ ନାଚିବେ ପ୍ରେତ ପିଚାଶୀ ଡାକିନୀ ତନୁଜ । ଖାଉଥିବେ ମଡ଼ା ଟାଣି ଯୋଡ଼ା ଯୋଡ଼ା ଛାଡୁଥିବେ ରଡ଼ି ବିସ୍ତାରି ତେଜ ।୨। ସୁପାତି ଶଯ୍ୟାରେ ନିଦ୍ରା ନ ହେବ ବହୁ ମହାମୁଦ୍ରା ଭଗ୍ନ ହେବଟି ବୁଝ । ନିଶାରେ ପୀଡ଼ିବେ ନିଶାଚରୀ କାଳେ ନୋହୁ ନିଦ୍ରା ଯେହ୍ନେ କର ଏ କାର୍ଯ୍ୟ ।୩। ଦେବୁ ମାତୃସ୍ତନ୍ୟ କରି ସୁଖେ ପାନ ଧରିଥିବି ମାତ୍ର ଜୀବନ-ବୋଝ । ବଇଷ୍ଣବ ଭାଷ, ଫଳୁ ମୋ ଆଶିଷ ଶୁଭେ ଭୁଞ୍ଜ କୁଞ୍ଜଗଳ ଐଶ୍ୱର୍ଯ୍ୟ ।୪।

 

ଅର୍ଜ୍ଜୁନ

ପିତାମହ ! ପେଷୁଅଛି ମନଭେଦୀ ଶର

 

 

ଶରେ ଶର ଛନ୍ଦି ଶରଶଯ୍ୟାଏ କରୁଛି;

 

 

ପୁଣି ପେଷୁଅଛି ଗଙ୍ଗାଦତ୍ତ ଭୁଜବାଣ

 

 

ଅନୁକ୍ଷଣେ ଜଳ ତୁଣ୍ଡେ କରୁ ବରଷଣ ।

 

 

(ଅର୍ଜ୍ଜୁନ ଶରେ ଶରଶଯ୍ୟା ନିର୍ମାଣ ଓ ଭୁଜବାଣ ପ୍ରୟୋଗେ ଗଙ୍ଗାନୀର ଭୀଷ୍ମଙ୍କ ଦେହେ ଓ ମୁଖେ ପତନ)

ଭୀଷ୍ମ

ଓଃ ! ଏବେ ଜ୍ୱାଳା ହେଲା ନିବାରଣ ।

 

(ଗୀତ)

[ଚଣ୍ଡ ମୁଣ୍ଡ ହୁଅ -ବୃତ୍ତେ]

 

ସାଧୁ ରେ ଇନ୍ଦ୍ରନନ୍ଦନ ! ଜୀବନ ତୋହର ସାଧୁ । ତୁହି ଏକମାତ୍ର ବାପ ବିପଦକାଳର ବନ୍ଧୁ ।ପଦ। ପର ମନ ଜାଣୁ ପାର୍ଥ, ତେଣୁ ତୁ ରେ ପରମାର୍ଥ । ତୁହି ସିନା ଶୋଷିପାରୁ ଶୋକାର୍ତ୍ତର ଶୋକସିନ୍ଧୁ ।୧। କଲ୍ୟାଣ କରୁଛି ବତ୍ସ, ମୋ ଆୟୁଷ ଘେନି ବଞ୍ଚ । ପଞ୍ଚକଟକ ବିବତ୍ସ ଭୁଞ୍ଜ ପଣ୍ଡୁବଂଶ-ବିଧୁ ।୨। ପଞ୍ଚରାଜ୍ୟେ ହୋଇ ରାଜା, ଉଡ଼ାଅ ରେ ଧର୍ମଧ୍ୱଜା । ଧର୍ମରେ ପାଳ ପରଜା କାହିଁପାଇଁ ବସି କାନ୍ଦୁ ।୩। କର୍ମଫଳ କୁରୁନାଥ, ଭୋଗିବ ଏ ସତ୍ୟ ସତ୍ୟ । ଶେଷରେ ବିଧବା ହେବେ,ବଇ ବୋଲେ ଭ୍ରାତୃବଧୂ ।୪।

 

 

 

ଯାଅ ରେ ଯୁଧିଷ୍ଠିର, ଯାଅ ଚକ୍ରୀ ଚୂଡ଼ାମଣି !

 

 

ଯୁଅ ସହଦେବ ଭୀମ ନକୁଳ ଅର୍ଜ୍ଜୁନ !

 

 

ଦିବସରେ ରଣଶ୍ରମ ସହିଛ ବହୁତ,

 

 

ବିଶ୍ରାମ କର, ପ୍ରଭାତେ କରିବ ସମର ।

 

 

କାଲି ଦ୍ରୋଣ ହେବେ କୁରୁଥାଟେ ସେନାପତି ।

ଯୁଧିଷ୍ଠିର

ପିତଃ ! କେମନ୍ତେ କହୁଛ ଏହା ପଶୁଛି ତୁଣ୍ଡର

 

 

ଛାଡ଼ିଯିବୁ ନାହିଁ କେହି ତୁମ୍ଭଙ୍କୁ ଏକାକୀ ।

ଭୀଷ୍ମ

ଯାହା ଇଚ୍ଛା କର ଧର୍ମସୁତ ! ନାଟକର ଯବନିକା ଏହି ।

Image